କନକ ବ୍ୟୁରୋ: ଧିରେ ଧିରେ ସାମ୍ନାକୁ ଆସୁଛି ଭୁବନେଶ୍ୱର ବିଜେଡିରେ କନ୍ଦଳ। ଦଳର କିଛି ପୁରୁଣା ନେତା ଜିଲ୍ଲା ସଭାପତିଙ୍କୁ କରୁ ନାହାଁନ୍ତି ଖାତିର। ଯାହାକୁ ନେଇ ଜିଲ୍ଲା ବିଜେଡିରେ ବିଦ୍ରୋହର ଗନ୍ଧ ବାରି ହେବାରେ ଲାଗିଛି। କେବଳ ସେତିକି ନୁହେଁ ବିଜେଡି କର୍ପୋରେଟର ଏବେ ବିଜେପି ବିଧାୟକଙ୍କ ନିକଟତର ହେବାକୁ ଚେଷ୍ଚା ବି କରୁଛନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ନ ଦେବାକୁ ହ୍ବିପ ଜାରି କରିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି । ତା ସତ୍ବେ ସାମ୍ନାକୁ ଆସିଛି ଭୁବନେଶ୍ବର ବିଜେଡିରେ କନ୍ଦଳ । ଆଉ ବିଜେପି ଏକାମ୍ର ବିଧାୟକଙ୍କ ନିକଟତର ହେବାରେ ଲାଗିଛନ୍ତି କିଛି ବିଜେଡି କର୍ପୋରେଟର।  ବିଏମସିର ଏକ କାର୍ୟ୍ୟକ୍ରମରେ ଦେଖନ୍ତୁ ବିଜେଡି କର୍ପୋରଟେର ବିରଂଚି ମହାସୁପକାର କେମିତି ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । 

କେବଳ ବିରଂଚି ମହାସୁପକାର ନୁହନ୍ତି, ବିଜେଡିର ଅନ୍ୟ ଜଣେ କର୍ପୋରେଟର ଅମରେଶ ଜେନା ଆଉ ପାଦେ ଆଗେଇ ଯାଇଛନ୍ତି । ଆଉ କହିଛନ୍ତି, ଦଳ ନୁହେଁ ଯିଏ ଭଲ କାମ କରିବ ଆମେ ତାଙ୍କ ସହ ରହିବୁ । 

ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଭୁବନେଶ୍ବର ମହାନଗର ନିଗମରେ ବିଜେଡି କନ୍ଦଳ ବାରମ୍ୱାର ପଦାକୁ ଆସୁଛି । ଏଥିପାଇଁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାକୁ ଦାୟୀ କରୁଛନ୍ତି  କିଛି ବିଜେଡି କର୍ପୋରଟେର । ଆଉ ଆଜି ଖୋଦ ଅଶୋକ ପଣ୍ଡା ସାମ୍ନାକୁ ଆସି ସ୍ବୀକାର କରିଛନ୍ତି ଜିଲ୍ଲା ସଭାପତିଙ୍କ ନିର୍ଦେଶକୁ କର୍ପୋରେଟର ମାନୁନାହାନ୍ତି । ସେପଟେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ବିଜେପିକୁ ଯିଏ ଆସିବାକୁ ଚାହିଁବେ ସେ ଆସିପାରିବେ । 

ପୌର ଓ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପି ବିଭିନ୍ନ ସ୍ଥାନରେ ଅପରେସନ ଲୋଟସ ପାଇଁ ସଜବାଜ ହେଉଛି । ଆଉ ଭୁବନେଶ୍ବରରେ ବିଜେଡିର ଏଭଳି ସ୍ଥିତି ଲାଗି ରହିଲେ ଏହା ବିଜେପିକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି ।