କନକ ବ୍ୟୁରୋ: ଲୁଚିଗଲା କି ବିଜେଡିର ୱାକଫ୍ ବିଲ୍ ପ୍ରସଙ୍ଗ ? ରାଜ୍ୟସଭାରେ ବିବେକ ଅନୁଯାୟୀ ଭୋଟ ଦେବାକୁ କିଏ ନେଇଥିଲା ନିଷ୍ପତ୍ତି ? ରାଜ୍ୟସଭାର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ନିଜେ ଏହି ନିଷ୍ପତ୍ତି ନେଇଥିଲେ ନା ତାଙ୍କ ଉପରେ କିଏ ଚାପ ସୃଷ୍ଟି କରିଥିଲା । ଗତ ଦୁଇ ତିନି ଦିନର ପରିସ୍ଥିତିକୁ ସମୀକ୍ଷା କଲେ ଏହି ପ୍ରସଙ୍ଗରେ ଦୁର୍ବଳତାକୁ ଲୁଚାଇବାକୁ ଦଳ ପକ୍ଷରୁ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ବୁଧବାର ନବୀନ ପଟ୍ଟନାୟକ ମିଡ଼ିଆ ସାମ୍ନାରେ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିବା ସହ ବରିଷ୍ଠ ନେତାମାନଙ୍କୁ ନାଲିଆଖି ଦେଖାଇଥିଲେ । ହେଲେ ୱାକଫ୍ ପ୍ରସଙ୍ଗରେ ପଦୁଟିଏ କହିନଥିଲେ । ଏହା ପୂର୍ବରୁ ନବୀନଙ୍କ ନିକଟରେ ଫେରାଦ ହୋଇସାରିଛନ୍ତି ବିଜେଡିର ସଂଖ୍ୟାଲଘୁ ସାଂସଦ ମୁନା ଖାନ୍ । ଏପରିକି ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ସୁପ୍ରିମୋଙ୍କ ନିକଟରେ ଦାବି କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସସ୍ମିତ ଓ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବା ବାହ୍ୟଶକ୍ତି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି ନବୀନ ? ବରଂ ହୋଟେଲରେ ବୈଠକ କରିଥିବା ନେତାଙ୍କୁ ନାଲି ଆଖି ଦେଖାଇଛନ୍ତି । ନବୀନଙ୍କ ନାଲିଆଖି ପରେ ଡରିଯିବେ କି ବରିଷ୍ଠ ନେତା? ନା ପୂର୍ବ କାର୍ଯ୍ୟାନୁଷ୍ଠାନ ଦାବିରେ କାଏମ ରହିବେ? ବିଜେଡିର ଅନ୍ଦର ମହଲରେ ଏବେ ଏପରି କିଛି ଆଲୋଚନା ହେଉଥିବା ଚର୍ଚ୍ଚା ଜୋର ଧରିଛି ।

Advertisment

ଏବେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ବିଜେଡି କରିଛି ନୂଆ ଷ୍ଟ୍ରାଟେଜି । ନବୀନ ପଟ୍ଟନାୟକଙ୍କ ସପକ୍ଷରେ ସୋସିଆଲ ମିଡିଆରେ କ୍ୟାମ୍ପେନ୍ ହେଲାଣି । ସୋସିଆଲ ମିଡିଆରେ ‘ଆଇ ଆମ୍ ୱିଥ୍ ନବୀନ ପଟ୍ଟନାୟକ’ ଭିଡ଼ିଓ ପୋଷ୍ଟ କରିଛନ୍ତି ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା । ୱାକଫ୍ ବିଲ୍ ପ୍ରସଙ୍ଗକୁ ନେଇ ଦଳ ଭିତରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ସୁପ୍ରିମୋଙ୍କ ସମେତ ଦଳୀୟ ନେତାଙ୍କ ଚିନ୍ତା ବଢାଇଛି । ପରିସ୍ଥିତି ବିଗୁଡୁଥିବା ଦେଖି ଛାତ୍ର ଓ ଯୁବ ସଂଗଠନର ସହାୟତା ଲୋଡିଛି ଦଳ । ଏଥିପାଇଁ ଜଣେ ଯୁବ ବିଜେଡି ବିଧାୟକଙ୍କୁ ଦାୟିତ୍ବ ମଧ୍ୟ ଦିଆଯାଇଛି । ଛାତ୍ର ଓ ଯୁବ ବିଜେଡି ସଦସ୍ୟମାନେ ନବୀନଙ୍କ ସପକ୍ଷରେ ରିଲ୍‌ସ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି ।  

ଏବେ ପ୍ରଶ୍ନ ଉଠୁଛି ଯେ, ଲୁଚିଗଲା କି ବିଜେଡିର ୱାକଫ୍ ବିଲ ପ୍ରସଙ୍ଗ ? ବିବେକ ଅନୁଯାୟୀ ଭୋଟ ଦେବାକୁ କିଏ ନେଇଥିଲା ନିଷ୍ପତ୍ତି ? ସସ୍ମିତ ପାତ୍ର ନିଜେ ଏହି ନିଷ୍ପତ୍ତି ନେଇଥିଲେ  ନା ତାଙ୍କ ଉପରେ କିଏ ଚାପ ସୃଷ୍ଟି କରିଥିଲା ? ସସ୍ମିତଙ୍କୁ ନିଷ୍ପତ୍ତି ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବା ବାହ୍ୟଶକ୍ତି କିଏ ? ବାହ୍ୟଶକ୍ତି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି ନବୀନ ? ନବୀନଙ୍କ ନାଲିଆଖି ପରେ ଡରିଯିବେ କି ବରିଷ୍ଠ ନେତା ?