କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟଡାଉନ । ୯ ତାରିଖରେ ହେବ ଭୋଟଗ୍ରହଣ। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଅଛନ୍ତି । ହେଲେ ସମସ୍ତଙ୍କର ଆଖି ବିଜେଡି ଉପରେ । 

Advertisment

ପ୍ରାର୍ଥୀ ଘୋଷଣା ପରେ ଏଯାଏଁ ସମର୍ଥନ କାର୍ଡ ଖୋଲିନାହାନ୍ତି ବିଜେଡି ସୁପ୍ରିମୋ । ହେଲେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ପୂର୍ବ ଆଭିମୁଖ୍ୟକୁ ଦେଖିଲେ ଚର୍ଚ୍ଚା ହେଉଛି, ବିଜେଡି ଏନଡିଏ ପ୍ରାର୍ଥୀଙ୍କ ଆଡ଼କୁ ଢଳିପାରେ । 

ଉପରାଷ୍ଟ୍ରପତି ନିର୍ବାଚନକୁ ସପ୍ତାହେରୁ କମ୍‌ ସମୟ ରହିଛି । ହେଲେ ଏବେଯାଏଁ ଦଳୀୟ ସାଂସଦଙ୍କୁ ଏକାଠି କରିନାହାନ୍ତି କି ବିଜେଡିର ସ୍ପଷ୍ଟ ଆଭିମୁଖ୍ୟ କଣ ରହିବ ତାହା ଜଣାଇନାହାନ୍ତି ନବୀନ । ୱାକଫରେ ଯେମିତି ସଂସଦୀୟ ଦଳ ଦୁଇଭାଗ ହୋଇଯାଇଥିଲା ତାହାର ପୁନରାବୃତ୍ତି ନହେଉ ବୋଲି ଚାହୁଛନ୍ତି ଦଳର ଶୀର୍ଷ ନେତୃତ୍ବ । ଅନ୍ୟପଟେ ଦଳୀୟ ସାଂସଦ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନେବେ ନବୀନ । 

ଗତ ୩ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ ଅନେକ ସମୟରେ ଚକିତ କରିଛି । ୨୦୧୨ରେ ଭୋଟଦାନରୁ ବିରତ ରହିଥିଲା ଦଳ । ୨୦୧୭ରେ ଏନଡିଏ ବିରୋଧରେ ଯାଇଥିଲା ବିଜେଡି । ୨୦୨୨ରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭୋଟ୍‌ ଦେଇଥିଲା ବିଜେଡି । ହେଲେ ଏବେ ରାଜନୈତିକ ସ୍ଥିତି ଓ ପରିବେଶ ବିଜେଡି ପାଇଁ ଭିନ୍ନ ରହିଛି ।