କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ କାହିଁକି ହାରିଲା ବିଜେଡି । ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ଭୂପିନ୍ଦର କହିଛନ୍ତି, କର୍ମୀମାନେ କ୍ୟାପଟେନ୍‌ ନବୀନଙ୍କୁ ଦେଖିବାକୁ ପାଇଲେନି । କ୍ୟାପଟେନଙ୍କ ବଦଳରେ ଆଉ କାହାକୁ ଦେଖିଲେ । ଯାହା ଦ୍ୱାରା ଫଳାଫଳ ଏଭଳି ହେଲା । ଭୂପିନ୍ଦର ଆହୁରି କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ସହିତ ବୁଝାମଣା ହୋଇଥିଲା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।

Advertisment

ବିଜେଡି ଟାଣୁଆ ବିରୋଧୀ ହୋଇପାରୁନାହିଁ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି । ବିଜେପି ସାଙ୍ଗରେ ବିଜେଡି ସବୁବେଳେ ନରମ ଆଭିମୁଖ୍ୟ ଗ୍ରହଣ କରେ । ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ ସମାନ କଥା କହିଛନ୍ତି । ବିଜେଡି ଶକ୍ତିର କ୍ଷୟ ଘଟିଛି । ପରିଚାଳନାଗତ ତ୍ରୁଟି ଯୋଗୁଁ ବିଜେଡି ନିର୍ବାଚନ ହାରିଲା ବୋଲି କହିଛନ୍ତି ଶଶୀଭୂଷଣ । ବିଜେଡି ଯୁବ ବର୍ଗଙ୍କୁ ସୁଯୋଗ ଦେଉ, ହେଲେ ଅଭିଜ୍ଞଙ୍କ ପରାମର୍ଶକୁ ଅଣଦେଖା ନକରୁ ବୋଲି କହିଛନ୍ତି ଶଶୀ । ୨୦୨୪ରେ ବିଜେଡି କାହିଁକି ହାରିଲା, ତାର ସମୀକ୍ଷା ହେବା ଦରକାର ବୋଲି ବି ସେ କହିଛନ୍ତି । 

ସେପଟେ ଗତକାଲି ଦଳ ଉପରେ ଅସନ୍ତୋଷ ଝାଡିଥିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ।  ୱାକଫ୍‌ ବିଲ୍‌ ପ୍ରସଙ୍ଗରେ ଚର୍ଚ୍ଚାରେ ଥିବା ମୁନ୍ନା ଖାଁ ସକାଳୁ ସକାଳୁ ଅଚାନକ୍‌ ନବୀନ ନିବାସରେ ପହଞ୍ଚିବା, ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା । ମେ’ ୫ ତାରିଖରେ ବିଜେଡି ବିଭିନ୍ନ ସାଂଗଠନିକ ପଦପଦବୀର ପୁନର୍ବିନ୍ୟାସ କରିଥିଲା । ଅନେକ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ । ହେଲେ କମିଟିକୁ ନେଇ ନେତାଙ୍କ ଭିତରେ ତୀବ୍ର ଅସନ୍ତୋଷ ଜଳଜଳ ହୋଇ ଦେଖାଯାଉଛି । ଦଳର ସୁପ୍ରିମୋଙ୍କୁ ମୁନ୍ନା ଖାଁ ଲେଖିଥିବା ଚିଠିରେ ସଂଖ୍ୟାଲଘୁ ସେଲ୍‌ ସାଉଥ୍‌ ଜୋନ୍ ସଂଯୋଜକ ପଦକୁ ସେ ଅଗ୍ରାହ୍ୟ କରୁଥିବା ସ୍ପଷ୍ଟ ହେଉଛି ।