ବିଜେଡି ହାତରୁ ଖସୁଛି ବ୍ଲକ, ଗୈରୀକରଣ ହେଉଛି ତୃଣମୂଳ ରାଜନୀତି

ବିଜେଡି ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ବ୍ଲକ ।  ଗୈରୀକରଣ ହେଉଛି ତୃଣମୂଳ ରାଜନୀତି । ୨୦୨୨ ପଂଚାୟତ ନିର୍ବାଚନରେ ୨୭୮ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିଲେ ଅଧ୍ୟକ୍ଷ  । ରାଜ୍ୟ ସରକାରରେ ପଟ୍ଟ ପରିବର୍ତ୍ତନ ପରେ ବଦଳୁଛି ଚିତ୍ର ।  

50-BJD gad

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ଦୁର୍ବଳ ହେଉଛି ବିଜେଡି । ଧୀରେଧୀରେ ରାଜ୍ୟର ଗୋଟିଏ ପରେ ଗୋଟିଏ ବ୍ଲକକୁ ଦଖଲକୁ ନେଉଛି ଶାସକ ଦଳ ବିଜେପି । ଯେଉଁଠି ଅଙ୍କ ଛିଡ଼ୁନି ସେଠି ଝୁଲି ରହୁଛି ପଛେ ନିର୍ବାଚନ ହେଉନି । 

କେନ୍ଦ୍ରାପଡ଼ାରୁ କଳାହାଣ୍ଡି, ଗଞ୍ଜାମରୁ ଯାଜପୁର ସବୁ ଜିଲ୍ଲାରେ ତୃଣମୂଳ ସ୍ତରରେ ବଦଳୁଛି ରାଜନୈତିକ ସମୀକରଣ । ୨୦୨୪ ପୂର୍ବରୁ ବିଜେଡିର ଗଡ଼ କୁହାଯାଉଥିବା ଏହି ସବୁ ଜିଲ୍ଲାରେ ଧୀରେ ଧୀରେ ଗୈରୀକରଣ ହେଉଛି । ଗତକାଲି ଧର୍ମଶାଳାରେ ବିଜେଡିର ଗଡ଼ ଭୁଶୁଡ଼ିଛି । ଅନାସ୍ଥା ଭୋଟ ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟ । ଗତକାଲି ଜଗନ୍ନାଥ ପ୍ରସାଦ ବ୍ଲକର ଉପାଧ୍ୟକ୍ଷ ପଦ ଜିତିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ । 
 
ପୂର୍ବରୁ ଗଞ୍ଜାମର ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତରୁ ଯାଇଥିଲା । ସେହିପରି ମେ' ମାସରେ ବିଜେଡି ହାତରୁ ଖସି ଯାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ । ହାରିଯାଇଥିଲେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ । ଏପ୍ରିଲ ମାସରେ କଳାହାଣ୍ଡିର କଲମପୁର ବ୍ଲକରେ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ଅନେକ ବ୍ଲକ ବିଜେଡି ହାତରୁ ଖସିବ ବୋଲି କୁହାଯାଉଛି । ଯାହାକୁ ନେଇ ଉଷ୍ମ ହେଉଛି ତୃଣମୂଳସ୍ତରର ରାଜନୀତି । ୨୦୨୨ ନିର୍ବାଚନରେ ୩୧୪ ବ୍ଲକରୁ ୨୭୮ଟି ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିଲେ । କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ବଦଳୁଛି ଚିତ୍ର । ବ୍ଲକ ଗୁଡ଼ିକୁ ନିଜ କବଜାକୁ ନେଉଛି ଶାସକ ଦଳ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe