କନକ ବ୍ୟୁରୋ : ଗୃହରେ ବିବୃତି ରଖିଲେ ବାଚସ୍ପତି, ଗୃହ ତ୍ୟାଗ କଲା ବିଜେଡି । ବାରମ୍ବାର ମୁଲତବି ପରେ ଅପରାହ୍ନ ୪ଟା ପରେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମଙ୍ଗଳବାର ରାତିର ଘଟଣାରେ ବିଧାନସଭାରେ ବାଚସ୍ପତି ନିଜର ବିବୃତି ରଖିଛନ୍ତି । କହିଛନ୍ତି,ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ । ୨୦ ମାର୍ଚ୍ଚରୁ କଳାବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲ, ତୂରୀ , ଘଣ୍ଟ,ବଂଶୀ ବଜାଇ ଗୃହ କାର୍ଯ୍ୟରେ ବାଧା ପହଞ୍ଚାଇଥିଲେ । ମୋଟ ୧୨ଟି କାର୍ଯ୍ୟ ଦିବସରୁ ୨ଟି କାର୍ଯ୍ୟ ଦିବସରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲି ପାରିଥିଲା । ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ମୋଟ ୩୯ ଘଣ୍ଟା ୨ ମିନିଟ ଗୃହ କାର୍ଯ୍ୟ ଚାଲିଥିଲା । ସେଥିପାଇଁ ମାର୍ଚ୍ଚ ୧୦ , ୧୩, ୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା । ଏହା ସତ୍ତ୍ୱେ ବି ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ କଂଗ୍ରେସ ବିଧାୟକ । ୨୧ ମାର୍ଚ୍ଚରେ ଉପବାଚସ୍ପତି ରୁଲିଂ ଦେଇଥିଲେ ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ । ଏହା ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିବାରୁ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଗତକାଲି ନିଲମ୍ବନ କରାଯାଇଥିଲା । ଏହା ପରେ ବି ସେମାନେ ଗୃହ ପରିତ୍ୟାଗ କରିନଥିଲେ । ଗୃହ ପରିତ୍ୟାଗ ନକରି ଅହୋରାତ୍ର ଧାରଣାରେ ରହିବେ ବୋଲି ଜଣାଇବ ପରେ ସୁରକ୍ଷା ସହିତ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଥିଲି ବୋଲି କହିଛନ୍ତି ବାଚସ୍ପତି । 

Advertisment

ତେବେ ରାତ୍ର ୯ ଘଟିକା ସମୟରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହିତ ଆସିଥିବା କିଛି ରାଜନୀତିକ କର୍ମୀ ମାର୍ଶଲ ଓ ସୁରକ୍ଷା କର୍ମୀଙ୍କୁ ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ । ଯେଉଁଥିରେ ସେମାନେ ଆହତ ହୋଇଥିଲେ ଏବଂ ଚିକିତ୍ସିତ ହେଉଛନ୍ତି ବୋଲି ଗୃହରେ ବାଚସ୍ପତି ସୂଚନା ଦେଇଛନ୍ତି । ପୁନର୍ବାର ରାତ୍ରି ୨ଟାରେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶଲ ଗେଟ୍ ବାହାରକୁ ନେଇ ଛାଡିଥିଲେ ଆଉ କିଛି ବିଧାୟକ ସସମ୍ମାନେ ଯାଇଥିଲେ ବୋଲି ସେ କହିଛନ୍ତି । ତେବେ ବାଚସ୍ପତିଙ୍କ ଏହି ବିବୃତି ବିରୋଧୀ ବିଜେଡିକୁ ସନ୍ତୁଷ୍ଟ କରିପାରିନି। ଫଳରେ ପୁଣିଥରେ ଗୃହତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ବିଧାୟକ । ବର୍ତ୍ତମାନ ବିନା ବିରୋଧୀ ବିଧାୟକଙ୍କ ଉପସ୍ଥିତିରେ ଗୃହ ବିଭାଗ ଉପରେ ଚାଲିଛି ଆଲୋଚନା ।