କନକ ବ୍ୟୁରୋ: ଶ୍ରୀମୟୀଙ୍କୁ ଟାର୍ଗେଟ୍ କଲେ ବିଜେଡି ନେତ୍ରୀ । ଗତକାଲି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡି ଦଳରୁ ସସପେଣ୍ଡ୍ କରିବା ପରେ, ଏବେ ଚର୍ଚ୍ଚାରେ ରହିଛି ଶ୍ରୀମୟୀଙ୍କ ଫେସବୁକ୍ ପୋଷ୍ଟ । ଆଉ ଏହାପରେ ବିଜେଡି ଦଳ ତରଫରୁ ମଧ୍ୟ ଶ୍ରୀମୟୀଙ୍କୁ ଏବେ ଟାର୍ଗେଟ୍ କରିବା ଆରମ୍ଭ ହୋଇଛି । ଦଳର ମୁଖପାତ୍ର ଲେଲିନ୍ ମହାନ୍ତି ଏବଂ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସେହ୍ନାଙ୍ଗିନୀ ଛୁରିଆ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସଫଳ ସଭାପତିତ୍ବରେ ଦେଶର ଏକ ସଫଳ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳର ପରିଚୟ ରହିଛି । ଏଠି ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ । ଯେଉଁମାନେ ମାନନ୍ତିନି ତାଙ୍କୁ ଦଳରୁ ବିଦା କରିବା ଦାୟିତ୍ୱ ବି ନବୀନ ପଟ୍ଟନାୟକଙ୍କର ।
ତେବେ ବିଗତ ଦିନରେ ଯେଉଁମାନେ ଦଳ ବିରୋଧୀ କାମ କରିଛନ୍ତି ତାଙ୍କୁ ନିଲମ୍ବନ କରାଯାଇଛି । ସମାନ ଭାବେ ଏବେ ଶ୍ରୀମୟୀ ମିଶ୍ରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ସୋସିଆଲ ମିଡିଆରେ ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ କହୁଛନ୍ତି । ସେ ଯଦି ସେ ଦଳର ସଦସ୍ୟ ନଥିଲେ ତେବେ କେମିତି ଦଳର ସମସ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ । ବିଗତ ଗୋଟିଏ ବର୍ଷରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ହେଉ ଅବା ନବୀନ ନିବାସ, ଜନ ସମ୍ପର୍କ ପଦଯାତ୍ରା, ରାଜଭବନ ଆଗରେ ପ୍ରତିବାଦ ବେଳେ ବି ସେ ଉପସ୍ଥିତ ରହିଛନ୍ତି । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଯେତେବେଳେ ଯାହା ଦଳର ପଦପଦବୀ ଦିଆଗଲା ସେଥିରେ ତାଙ୍କ ନାଁ ରହିଥିଲା । ମୁଖପାତ୍ର ପଦବୀ ହେଉ କି ଜେନେରାଲ ସେକ୍ରେଟାରି ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ପ୍ରତି ପଦପଦବୀ ସେ ଗ୍ରହଣ କରିଛନ୍ତି । କେବେ ମନା କରି ନାହାନ୍ତି । ଅଗଷ୍ଟ ମାସରେ ମହିଳା ୱେଲଫେୟାର କମିଟି ମେମ୍ବର ଘୋଷଣା କରାଯାଇଥିଲା, ତାକୁ ମଧ୍ୟ ସେ ଗ୍ରହଣ କରିଥିଲେ । ଯଦି ସେ ଦଳର ସଦସ୍ୟ ନଥିଲେ ଏସବୁକୁ କିଭଳି ଗ୍ରହଣ କଲେ ବୋଲି ବିଜେଡି ପ୍ରଶ୍ନ କରିଛି । ଏଥିସହ ସେ କ୍ରମାଗତ ମିଛ କହୁଛନ୍ତି, ଏଭଳି ମିଛ କହି ଲୋକଙ୍କୁ ବିଭ୍ରାନ୍ତି କରନ୍ତୁନି ବୋଲି ବିଜେଡି କହିଛି । ସେ ଯେଉଁ ଦଳକୁ ଯିବେ ସେ ଦଳ ବି ଜାଣିବା କଥା ସେ କ୍ରମାଗତ ମିଛ କହି ବିଭ୍ରାନ୍ତି କରୁଛନ୍ତି ।