କନକ ବ୍ୟୁରୋ: ବର୍ଷ ବର୍ଷ ଧରି ବିଜେଡିକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ଭୋଟ୍ ଦେଇ ଆସନ୍ତି ବୋଲି କୁହାଯାଏ । କିନ୍ତୁ ୱାକଫ୍ ବିଲ ସପକ୍ଷରେ ବିଜେଡିର କିଛି ସାଂସଦ ଭୋଟ ଦେବା ପରେ ଏହା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଛି । ତୃଣମୂଳ ସ୍ତରରେ ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ଟେନସନରେ ଅଛନ୍ତି । ଏହାରି ଭିତରେ ଦଳକୁ କ୍ଷତି ପହଁଚାଇବା ଭଳି ଏତେ ବଡ ନିଷ୍ପତି କିଏ ନେଲେ? ସେ ନେଇ ଜଣଙ୍କ ପରେ ଜଣେ ନେତା ବିଷୋଦଗାର କରିଛନ୍ତି ।  

Advertisment
  • ଭଦ୍ରକ ନିର୍ବାଚନମଣ୍ଡଳୀର ବିଜେଡି ନେତା ପ୍ରଫୁଲ୍ଲ ସାମଲ
  • ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ନେତା ପ୍ରତାପ ଜେନା
  • କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ଗଣେଶ୍ବର ବେହେରା
  • ବାରବାଟୀ- କଟକ ନିର୍ବାଚନମଣ୍ଡଳୀର ବିଜେଡି ନେତା ଦେବାଶିଷ ସାମନ୍ତରାୟ

ଏହି ସବୁ ନେତା ୱାକଫ୍ ବିଲ ପ୍ରସଙ୍ଗରେ ଦଳୀୟ ନିଷ୍ପତିକୁ ନେଇ ଚିନ୍ତାରେ ଅଛନ୍ତି । କାହିଁକି ନା, ରାଜ୍ୟର ଏମିତି କେତେକ ନିର୍ବାଚନମଣ୍ଡଳୀ ରହିଛି, ଯେଉଁଠି ମୁସଲିମ ଭୋଟ ନିର୍ଣ୍ଣାୟକ ହୋଇଥାଏ । ବିଧାୟକ ହୁଅନ୍ତୁ କି ସାଂସଦ କିଏ ଜିତିବେ କିଏ ହାରିବେ? ସେଥିରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । 

ମୁସଲିମ ବହୁଳ ନିର୍ବାଚନମଣ୍ଡଳୀ 

  • ଭଦ୍ରକ ନିର୍ବାଚନମଣ୍ଡଳୀରେ ପ୍ରାୟ ୭୧ ହଜାର ମୁସଲିମ୍ ଭୋଟର ଅଛନ୍ତି । ଯାହାକି ମୋଟ୍ ଭୋଟର ପ୍ରାୟ ୨୭ ପ୍ରତିଶତ
  • ମାହାଙ୍ଗା ନିର୍ବାଚନମଣ୍ଡଳୀରେ ୩୯ ହଜାର ମୁସଲିମ୍ ଭୋଟର ଅଛନ୍ତି । ଅର୍ଥାତ ମାହାଙ୍ଗାରେ ୧୭ ପ୍ରତିଶତ ହେଉଛନ୍ତି ମୁସଲିମ ଭୋଟର
  • କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ୩୫ ହଜାର ଓ ବାରବାଟୀ- କଟକ ନିର୍ବାଚନମଣ୍ଡଳୀରେ ପ୍ରାୟ ୭୭ ହଜାର ମୁସଲିମ୍ ଭୋଟର ଅଛନ୍ତି
    MUSLIM IN ASSEMBLY
    MUSLIM IN ASSEMBLY Photograph: (KanakNews )

କେବଳ ଏହି ଚାରୋଟି ନିର୍ବାଚନ ମଣ୍ଡଳୀ ନୁହେଁ ରାଜ୍ୟର ବହୁ ନିର୍ବାଚନମଣ୍ଡଳୀ ରହିଛି ଯେଉଁଠି ସଂଖ୍ୟାଲଘୁ ଭୋଟର ନିର୍ଣ୍ଣାୟକ ହୋଇଥାନ୍ତି । ତଥାପି ଏହାକୁ ଦଳର ଶୀର୍ଷ ନେତୃତ୍ବ ଗୁରୁତ୍ବ ନଦେବା ସେମାନଙ୍କ ଅସନ୍ତୋଷକୁ ବଢ଼ାଇ ଦେଇଛି । ଯାହାକି ଆଗାମୀ ଦିନରେ ଦଳକୁ ଆହୁରି କ୍ଷତି ପହଞ୍ଚାଇବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ତେବେ ୱାକଫ୍ ବିଲକୁ ନେଇ ବିଜେଡିରେ ଆରମ୍ଭ ହୋଇଥିବା ବିବାଦକୁ ଉପରମୁଣ୍ଡରେ ହୁଏତ ବୁଝାଇ ଦିଆଯାଇପାରେ । କିନ୍ତୁ ତୃଣମୂଳସ୍ତରରେ ଏହାକୁ ଶାନ୍ତ କରାଇବା ଦଳ ପାଇଁ ଚ୍ୟାଲେଞ୍ଜ ହେବ ।