କନକ ବ୍ୟୁରୋ : ଗତ ୩ରୁ ୪ ମାସ ଭିତରେ ବିଜେଡିରେ ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳୁଛି । ଶୃଙ୍ଖଳିତ ଦଳର ପରିଚୟ ସାଉଁଟିଥିବା ବିଜେଡିରେ ବିଶୃଙ୍ଖଳା ଏବେ ଚରମସୀମାରେ । କିଛିଦିନ ପୂର୍ବେ ବିଜେଡିର ୟଙ୍ଗ ବ୍ରିଗେଡ କଟକ ଓ ଭୁବନେଶ୍ବରରେ ମେଳି କରିବାକୁ ନେଇ ନବୀନ ନିବାସରେ ମାନଭଞ୍ଜନ କରିଥିଲେ ଦଳପତି । ଯୁବ ନେତାଙ୍କ ପରେ ଦଳର କିଛି ବରିଷ୍ଠ ନେତା ମଧ୍ୟ ସମାନ ଫର୍ମୁଲାକୁ ଆପଣାଇଥିବା ଚର୍ଚ୍ଚା ହେଉଛି ।

Advertisment

ପାଖାପାଖି ୨୦ ଜଣ ବରିଷ୍ଠ ନେତା ଖୋର୍ଦ୍ଧାରେ ଗୁପ୍ତ ବୈଠକରେ ଏକାଠି ହୋଇଥିବା ଚର୍ଚ୍ଚା ବଢିଲାଣି । ଏସବୁ ଭିତରେ ନବୀନଙ୍କ ପୁରୁଣା ସହଯୋଗୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ବୟାନ, ବିଜେଡିରେ ସବୁକିଛି ଠିକ୍ ଚାଲିନଥିବା ଆଡକୁ ଇଙ୍ଗିତ କରୁଛି । ଦଳର ଗୋଟିଏ ଗୋଷ୍ଠୀ ନବୀନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି ବୋଲି କହି ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି । 

ବିଜେଡିରେ ମେଳି ଚର୍ଚ୍ଚା ଭିତରେ ଏଣ୍ଟ୍ରି ମାରିଛି ବିଜେପି । ବିଧାୟକ ଜୟନାରାୟଣ ମିଶ୍ର ହୁଇସିଲ ଉପାଖ୍ୟାନ ରଖି କହିଛନ୍ତି, କେନ୍ଦ୍ରୀୟ ନେତୃତ୍ବ ଚାହିଁଲେ ବିଜେଡି ଭାଙ୍ଗିଯିବ । ଅନ୍ୟପଟେ ଦଳର ସୁରକ୍ଷା ପାଇଁ ସାମ୍ନାକୁ ଆସିଛନ୍ତି ବରିଷ୍ଠ ବିଧାୟକ ଅଶ୍ବିନୀ ପାତ୍ର । କହିଛନ୍ତି, ବିଜେଡି ଏକାଠି ଥିଲା ଏବଂ ଆଗକୁ ବି ରହିବ । 

ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ଓହ୍ଲାଇ ସାରିଛି । କିଏ ସଙ୍ଗଠନରେ ରହିବ, କିଏ ବାଦ୍ ପଡିବ ତାହା ଉପରୁ ଖୁବଶୀଘ୍ର ପରଦା ହଟିବ । କିନ୍ତୁ ପ୍ରଶ୍ନ ଉଠୁଛି, 
ନବୀନଙ୍କୁ ବିଭ୍ରାନ୍ତି କରି ସଙ୍ଗଠନକୁ ହାଇଜାକ କରିବାକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ କରୁଛି କି ଉଦ୍ୟମ?
ପ୍ରଚ୍ଛଦପଟରେ ରହି ଗୋଟିଚାଳନା କରୁଥିବା ନେତାଙ୍କୁ ମାତ୍ ଦେବାକୁ ହୋଇଛି କି ମେଳିର ଜନ୍ମ?
ଦଳ କ୍ଷମତାରୁ ଯିବା ପରେ ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା ନେତା ବିକଳ୍ପ ଖୋଜୁଛନ୍ତି କି?