କନକ ବ୍ୟୁରୋ: ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ପୋଡ଼ି ଘଟଣା ପରେ ପରେ ପୁରୀ ଜିଲ୍ଲା ବଳଙ୍ଗା ଛାତ୍ରୀଙ୍କୁ ଜାଳିଦେବା ଘଟଣା ଏବେ ରାଜ୍ୟକୁ ହୁଲୁସ୍ତୁଲ କରୁଛି । ଏସବୁ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । 

Advertisment

ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ପ୍ରତିକ୍ରିୟା ଦେବାକୁ ଯାଇ ବିଜେଡ଼ି ନେତ୍ରୀ ଲେଖାଶ୍ରୀ କହିଛନ୍ତି, ’ଏ ସରକାର ଦ୍ବାରା କିଛି ହୋଇପାରିବ ନାହିଁ । ୟାଙ୍କ ଦ୍ବାରା କିଛି ହୋଇପାରିବ ନାହିଁ । ଏମାନେ ରାଜ୍ୟକୁ ଚଳାଇପାରୁନାହାଁନ୍ତି  । ଆମେ ବି ଆଉ ଆମ ଝିଅମାନଙ୍କ ବଳିଦାନ ଦେଇପାରିବୁ ନାହିଁ । ଆଜିକା ଦିନରେ ଝିଅକୁ ବାହାରକୁ ଛାଡ଼ି ଘରେ ବାପା, ମାଆ ନିର୍ଭୟରେ ରହିପାରୁନାହାଁନ୍ତି ।  ଝିଅ ପଢ଼ିବାକୁ ଯାଇଛି ଆଉ ଘରକୁ ଫେରିବ କି ନାହିଁ ସେଇ ଚିନ୍ତାରେ ରହୁଛନ୍ତି । ବିଜେପି ସରକାର ବର୍ଷକ ଭିତରେ ରାଜ୍ୟକୁ ଏଭଳି ଅବସ୍ଥାକୁ ନେଇଆସିଲେଣି ଯେ, ଲୋକେ ନ୍ୟାୟ ମାଗି ମାଗି ଆଣ୍ଠେଇ ପଡ଼ିଲେଣି । ତେଣୁ ଅପାରଗ ସରକାରକୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରୁଛୁ’।

ସେ ଆହୁରି ମଧ୍ୟ  କହିଛନ୍ତି ଯେ, ଆଜିକା ଦିନରେ ଓଡ଼ିଶାରେ ମହିଳା ଘୋର ସଙ୍କଟ ଦେଇ ଗତି କରୁଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ଫେଲ ମାରିଛି । ବର୍ଷକରେ ମହିଳାଙ୍କ  ଉପରେ ଅପରାଧ ୮ ପ୍ରତିଶତ ବୃଦ୍ଧି ପାଇଛି । ଏବେ ଦିନକୁ ୧୫ ଦୁଷ୍କର୍ମ ଘଟୁଛି । ହେଲେ ସବୁ ଜାଣି ସରକାର ନିରବଦ୍ରଷ୍ଟା । ବାଲେଶ୍ବର ଘଟଣା ଜାଣି ବି ସରକାର ନାହିରେ ତେଲ ପକାଇ ବସିଲେ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଲେ । ବାଲେଶ୍ବରର ଯେଉଁ ନେତା, ମନ୍ତ୍ରୀ ଏକଥା ଜାଣି ଚୁପ୍ ରହିଥିଲେ ତାଙ୍କ ବିରୋଧରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନାହିଁ । ଯେହେତୁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେଣୁ ଅପରାଧ ବଢ଼ୁଛି ।  ଏଭଳି ସ୍ଥିତିରେ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଇଦେବା କଥା ।