କନକ ବ୍ୟୁରୋ : ୱାକଫ୍ ବିଲ୍କୁ ସସ୍ମିତ ପାତ୍ର ସମର୍ଥନ କରିବା ପରେ ବିଜେଡି ଦଳ ଭିତରେ କନ୍ଦଳ ଦେଖା ଦେଇଛି । ଦଳର ବରିଷ୍ଠ ନେତାମାନେ ସସ୍ମିତଙ୍କ ଉପରେ ଖପ୍ପା ହୋଇଛନ୍ତି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେ କହିଛନ୍ତି,କାଲି ଘଟଣା ବିଜେଡି ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି..ନିଜେ ସସ୍ମିତ ପାତ୍ର କହିଥିଲେ ଆମେ ୱାକଫ୍ ବିଲକୁ ବିରୋଧ କରିବୁ । କିନ୍ତୁ ୪୮ ଘଣ୍ଟା ନ ପୂରୁଣୁ ବିବେକ ଆଧାର କେମିତି ହୋଇଗଲା । ଆମର ସନ୍ଦେହ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ।
ସେ ଆହୁରି ମଧ୍ୟ କହିଛନ୍ତି ନବୀନ ବାବୁ ୱାକଫ୍ ବିଲ ବିରୋଧରେ ବୋଲି ସସ୍ମିତ ନିଜେ କହିଥିଲେ । ପରେ କେଉଁଠି ବି ନବୀନ ବାବୁ ବିବେକ ଆଧାର ଭୋଟ ଦେବା ପାଇଁ କହି ନାହାନ୍ତି । ସସ୍ମିତଙ୍କ ନିଷ୍ପତି ଦଳୀୟ ଶୃଙ୍ଖଳାର ଅବମାନନା କରିଛି । ସେ ଏବେ ଉତ୍ତରଦାୟୀ..ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ବରିଷ୍ଠର ନେତା ଯେଉଁ ଦାବୀ କରିଛନ୍ତି ତାହାର ଯଥାର୍ଥତା ଅଛି । ବିଜେଡି ସଂସଦୀୟ ଦଳର ନେତା ନିଜେ ନବୀନ କିନ୍ତୁ ସସ୍ମିତ କେବଳ ରାଜ୍ୟସଭାର ସଂସଦୀୟ ନେତା । ସେ ଅଧିକାର ବହିର୍ଭୁତ କାମ କରିଛନ୍ତି ଏବଂ ଭୁଲ କରିଛନ୍ତି । ତାଙ୍କ ଯୋଗୁଁ କର୍ମୀମୀନେ ଭାଙ୍ଗି ପଡିଛନ୍ତି । ସଭାପତିଙ୍କୁ ଅବଗତ କରାଯାଇଛି,ମୋର ବିଶ୍ୱାସ ସେ ଆବଶ୍ୟକ ପଦକ୍ଷେପ ନେବେ ।
ୱାକଫ୍ ବିଲକୁ ନେଇ ବିଜେଡିର ବିବେକ ଫାଳ ଫାଳ । ନବୀନଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଇଛନ୍ତି ଦଳର କିଛି ସାଂସଦ । ୨ ଦିନ ପୂର୍ବରୁ ହୋଇଥିବା ନିଷ୍ପତ୍ତି ହଠାତ୍ କେମିତି ବଦଳିଗଲା ? ନିଷ୍ପତ୍ତି ପରିବର୍ତ୍ତନ ପଛରେ ନବୀନ ନା ଆଉ କିଏ ? ତାହାକୁ ନେଇ ପ୍ରଶ୍ନ ଉଠିଛି ।