କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ପୋଷ୍ଟ । କାହାକୁ ଭଣ୍ଡ ସନ୍ନ୍ୟାସୀ କହିଲେ, ତାକୁ ନେଇ ବଢ଼ିଲା ଚର୍ଚ୍ଚା । ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝା'ଙ୍କ ୱେବ୍ ସିରିଜର ଉଦାହରଣ ଦେଇ ସନ୍ନ୍ୟାସ ଓ ସନ୍ନ୍ୟାସୀର କଥା ଉଠାଇଛନ୍ତି ବିଜେଡି ନେତ୍ରୀ । ଏହାସହ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ସଜ୍ଞା ବଦଳି ଯାଇଥିବା କହିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଶ୍ରୀମୟୀ ଲେଖିଛନ୍ତି, ସନ୍ନ୍ୟାସରୁ ସନ୍ନ୍ୟାସୀ ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ । ବର୍ତ୍ତମାନ ଆମ ସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ଵଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି । ପରମୁହୁର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି ।
ସନ୍ଥ, ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି, ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି । ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି । ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ ‘ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହେଉ’। ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି । ପୂର୍ବରୁ ଧୃତରାଷ୍ଟ୍ର କହି ତେରଛା ବାଣ ମାରିଥିଲେ ଶ୍ରୀମୟୀ । ଏବେ ପୁଣି ସନ୍ନ୍ୟାସ ଓ ସନ୍ନ୍ୟାସୀ କଥା କହି ଓ ଏମିତି ପୋଷ୍ଟ କରି ଶ୍ରୀମୟୀ କାହାକୁ ଟାର୍ଗେଟ କରିଛନ୍ତି ତାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।