କନକ ବ୍ୟୁରୋ: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି । ଆୟ ଏହାଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ଜଣାପଡ଼ିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି । କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି । ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା ।
ଏହାପୂର୍ବରୁ ରାଜାଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ ହାଇକୋର୍ଟ । ରାଜା ଚକ୍ରଙ୍କ ସମେତ ୪ ଜଣଙ୍କ ଉପରୁ ହଟିଥିଲା ଅନ୍ତରୀଣ ସୁରକ୍ଷା । ଇଡି ଯାଞ୍ଚ ବେଳେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା ଚକ୍ର । ଏବେ ରାଜା ଚକ୍ରଙ୍କ କେଳେଙ୍କାରୀର ଚାଲିଛି ଚେର ଖୋଜା । ବଡ଼ବିଲ ଖଣି ଅଞ୍ଚଳର ଅଧିକାଂଶ ଖଣିରେ ଅଛି ତାଙ୍କର ଅନେକ ପ୍ଲାଣ୍ଟ । ଏଥିରୁ ତାଙ୍କ ରୋଜଗାର ମାସକୁ ଶହେ କୋଟି ! କେନ୍ଦୁଝରର ଲଘୁ ଖଣିଜ ବ୍ୟବସାୟରେ ରାଜାଙ୍କ ବେଶ୍ ପ୍ରଭାବ ରହିଛି । ଜିଲ୍ଲାରେ ରାଜାର ଅନେକ କ୍ରସର ରହିଛି । କଳାପଥର ପାହାଡ଼ ଖୋଳି ଟଙ୍କା କମାଉଥିଲେ !
ସ୍ଥିତି ଏମିତି ଥିଲା ଯେ, ଜିଲ୍ଲାର ବଡ଼ ବଡ୍ ପ୍ରଶାସନିକ ଅଧିକାରୀ ରାଜାଚକ୍ରଙ୍କୁ ଖୋଲାହାତ ଛାଡି ଦେଇଥିଲେ । ଦଳର ବଡ ବଡ ନେତା ବି ଜିଲ୍ଲାରେ ଅଲୋଡା ହୋଇପଡ଼ିଥିଲେ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏଥିରେ ରାଜାଙ୍କ ସହ ବିଜେଡି ନେତା ସାମିଲ ଥିବା ଅଭିଯୋଗରେ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ରାଜଚକ୍ରର ଘର ସହ ବିଭିନ୍ନ ସ୍ଥାନରେ ରେଡ ଚାଲିଥିଲା ।