କନକ ବ୍ୟୁରୋ: ବିଜେପି ବିଧାୟକଙ୍କ ଟାର୍ଗେଟ୍ ପରେ ଚାକିରି କେଳେଙ୍କାରୀ ଘଟଣାରେ ବିଜେଡି ନେତାଙ୍କ ପାଲଟା ଆକ୍ରମଣ । ବିଜେପି ବିଧାୟକ ବାବୁ ସିଂ ଏସଆଇ ଚାକିରି କେଳେଙ୍କାରୀ ନେଇ ପୂର୍ବ ସରକାରକୁ ଟାର୍ଗେଟ୍ କରିବା ପରେ ଏନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ । ସିଧା ସିଧା ସରକାରକୁ ଚାକିରି ଚୋର ସରକାର ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ଯେଉଁ ତଦନ୍ତ ଆରମ୍ଭ କରିଛନ୍ତି ତାହା ସନ୍ଦେହ ଘେରରେ ବୋଲି ସେ କହିଛନ୍ତି । ଏହାସହ ମୁଖ୍ୟ କାର୍ପଟଦାରକୁ ଛାଡ଼ି ଦେବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ଅସଲି ଚେହେରା ଧରା ନପଡ଼ନ୍ତି ତେବେ ଯୁବ ଛାତ୍ର ନ୍ୟାୟ ପାଇବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାର୍ଚ୍ଚ ୭ରେ ପରୀକ୍ଷା ହେବାକୁ ଥିଲା । ତାକୁ କାହିଁକି ବାତିଲ୍ କରାଗଲା? ସେ ସମୟରେ ଓପିଆରବି ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ ଇସ୍ତଫା ଦେଲେ । ହେଲେ କିଏ ତାଙ୍କୁ ଇସ୍ତଫା ଦେବାକୁ ଚାପ ପକାଇଲା? ଏନେଇ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ । ସରକାର କେବଳ ଦଲାଲଙ୍କୁ ଗିରଫ କରି ସଂଖ୍ୟା ବଢ଼ାଉଛନ୍ତି, ମାଷ୍ଟରମାଇଣ୍ଡକୁ ଧରୁନାହାଁନ୍ତି ବୋଲି କହିଛନ୍ତି ପ୍ରୀତିରଞ୍ଜନ ।
ଏହାପୂର୍ବରୁ ପୁଲିସ ଏସଆଇ ଚାକିରି କେଳେଙ୍କାରୀ ଘଟଣାରେ ବଡ଼ ବୟାନ ରଖିଥିଲେ ବିଜେପି ବିଧାୟକ ବାବୁ ସିଂ । ବିଧାୟକ କହିଥିଲେ, ଶଙ୍କର ପୃଷ୍ଟି ବ୍ରହ୍ମପୁରର ଯେଉଁ ଘରେ ଅଫିସ୍ ଚଲାଉଥିଲା, ସେ ଘର କାହାର? ସେହି ଘର ବିଜେଡି ନେତାଙ୍କ ଘର ନୁହେଁ ତ? ବିଧାୟକ ବାବୁ ସିଂଙ୍କ କହିବା କଥା ହେଲା, ଚାକିରି ଦୁର୍ନୀତି ଘଟଣାରେ ୧୧୮ ଜଣ ଧରାପଡ଼ିଲେଣି । କେବଳ ଛୋଟ ମାଛ ନୁହେଁ ବଡ଼ ମାଛଙ୍କର ମଧ୍ୟ ସମୟ ଆସୁଛି । ବିଗତ ଦିନରେ ଗୋଟିଏ ପଞ୍ଚାୟତରେ ୨୫ ଜଣ ପିଲା ଚାକିରି ପାଇଥିଲେ । ଯାହାକି ଚାକିରିରେ ଦୁର୍ନୀତି ହୋଇଥିବା କଥାକୁ ସ୍ପଷ୍ଟ କରୁଛି । ଗତ ସରକାର ସମୟରେ ହିଁ ଚାକିରିରେ ଦୁର୍ନୀତି ହୋଇଥିଲା ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।
Follow Us