କନକ ବ୍ୟୁରୋ: ନିର୍ବାଚନରେ ପରାଜୟର ଧକ୍କା, ବିଜେଡିକୁ ଦୋହଲାଇ ଦେଇଛି । ରାଜ୍ୟସଭା ସାଂସଦ ଦଳ ଛାଡୁଛନ୍ତି, ଆଉ ଜିଲ୍ଲା ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଅନେକ ନିର୍ବାଚନ ମଣ୍ଡଳିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି । ତେଣୁ କେମିତି ଘର ସଜାଡିବେ, ସେହି ଚିନ୍ତା ବିଜେଡି ସୁପ୍ରିମୋଙ୍କୁ ଘାରିଛି । ତେଣୁ ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି, ଆଉ ପ୍ରସ୍ତୁତ ହେଉଛି କାଉଣ୍ଟର ରଣନୀତି।
- ଘର ସଜାଡୁଛି ବିଜେଡି
- ଶଙ୍ଖ ଭବନରେ ନେତାଙ୍କ ଗହଣରେ ନବୀନ
- ସୁପ୍ରିମୋଙ୍କୁ ଘାରିଛି ସଙ୍ଗଠନ ଚିନ୍ତା
ନିର୍ବାଚନ ହାରିବା ପରେ ବିଜେଡି ସୁପ୍ରିମୋଙ୍କୁ ଘାରିଛି ଦଳୀୟ ସଙ୍ଗଠନ ଚିନ୍ତା । ଏବେ ଯାଏଁ ଚାଲିଥିଲା ନବୀନ ନିବାସରେ କସରତ । ସ୍ଥିତି ସଙ୍ଗୀନ ହେଉଥିବା ଜାଣି ସୁପ୍ରିମୋ ଆସିଲେ ଶଙ୍ଖ ଭବନ । ଆଉ ନେତାଙ୍କୁ ଡାକି ଆଜି ୱାନ ଟୁ ୱାନ ଆଲୋଚନା ଆରମ୍ଭ କରିଛନ୍ତି । ବୌଦ୍ଧ ଓ ବରଗଡ ଜିଲ୍ଲାର ନେତାଙ୍କୁ ଡାକି ସଙ୍ଗଠନ ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ହେଲେ ୩ ମାସ ପରେ ବି ପରାଜୟର କାରଣ କହିପାରୁନାହାନ୍ତି ନବୀନ ପଟ୍ଟନାୟକ ।
- ଜିଲ୍ଲାରେ ମନ୍ତ୍ରୀଙ୍କୁ ଘେରିବ ବିଜେଡି
- ପ୍ରତି ଜିଲ୍ଲାରେ ସରକାର ବିରୋଧରେ ହେବ ପ୍ରତିବାଦ
ବିଜେପି ସରକାର ରାଜ୍ୟରେ ଶହେ ଦିନ ପୂର୍ତ୍ତି କରିସାରିଛି । ଆଉ ଶହେ ଦିନର ହିସାବନିକାଶକୁ ନେଇ ଜନତାଙ୍କ ପାଖକୁ ଯିବାକୁ ଉଦ୍ୟମ କରିବ ମୁଖ୍ୟ ବିରୋଧୀ ଦଳ ବିଜେଡି । ପ୍ରତିଶ୍ରୁତି ରକ୍ଷାରେ ବିଫଳ ହୋଇଥିବା ଅଭିଯୋଗ କରି ବିଜେଡି ଜିଲ୍ଲାରେ ମନ୍ତ୍ରୀଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି । ସୁଭଦ୍ରା, ମାଗଣା ବିଜୁଳି ଓ ଭତ୍ତା ପ୍ରତିଶ୍ରୃତିକୁ ନେଇ ପ୍ରତିବାଦ କରିବ ।
ରାଜ୍ୟସଭା ସାଂସଦ ଦଳ ଛାଡିବା, ଜିଲ୍ଲା ନେତାଙ୍କ ଭିତରେ ଅସନ୍ତୋଷ ତେଜିବା , ନିର୍ବାଚନମଣ୍ଡଳୀରେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ବିଜେଡି ପାଇଁ ଅଡୁଆ ବଢାଇଛି । କେବଳ ସେତିକି ନୁହେଁ କିଛି ନେତା ମୁଖିଆଙ୍କ କାନରେ କହିଲେଣି ଯେ, ଦଳର ଆଉ କିଛି ନେତା ବିଜେପି ସହ ଯୋଗାଯାଗରେ ଅଛନ୍ତି । ତେଣୁ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ବିଜେଡି ସୁପ୍ରିମୋଙ୍କ ପାଇଁ ଆହ୍ୱାନ ହୋଇଛି ।