କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ନେତୃତ୍ୱ ଓ ସଂଗଠନକୁ ଚ୍ୟାଲେଞ୍ଜ କରି ନେତା ଦଳ ଛାଡ଼ୁଛନ୍ତି । ତୃଣମୂଳ ସ୍ତରରେ ଦୋହଲି ଯାଇଛି ଦଳର ସଂଗଠନ । ଆଉ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ରାଜ୍ୟରେ ଗୋଟିଏ ମ୍ୟୁନିସିପାଲିଟି ଓ ତିନୋଟି ଏନଏସି କ୍ଷମତାଚ୍ୟୁତ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଭବାନୀପାଟଣା ମ୍ୟୁନିସିପାଲିଟି ସହିତ, ନୀଳଗିରି ଓ ପୁରୁଷୋତ୍ତମପୁରରେ ମଧ୍ୟ ବିଜେଡି ଅନାସ୍ଥାରେ ପଦ ହରାଇଛି । ସେପଟେ ଜୁନାଗଡ଼ରେ ବିଜେପି ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରିଛନ୍ତି ବିଜେଡି ସଦସ୍ୟ ।
ଭବାନୀପାଟଣା :ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପଦ ହରାଇଛନ୍ତି । ୨୦ ଜଣ ସଦସ୍ୟ ବିଶିଷ୍ଟ ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜେଡିର ୧୮ଜଣ ସଦସ୍ୟ ଥାଇ ମଧ୍ୟ ମ୍ୟୁନିସିପାଲିଟି ହାତରୁ ଖସି ଯାଇଛି । ୨୦ରୁ ୨୦ ଭୋଟ ଅନାସ୍ଥା ସପକ୍ଷରେ ପଡ଼ିଛି ।
ପୁରୁଷୋତ୍ତମପୁର: ଗଞ୍ଜାମର ପୁରୁଷୋତ୍ତମପୁରର ଅଧ୍ୟକ୍ଷା ଥିଲେ ପ୍ରିୟଙ୍କା ଗୌଡ଼। ସ୍ୱାଧୀନରୁ ଆସି ବିଜେଡିରେ ସାମିଲ ହୋଇଥିଲେ । ପ୍ରବଳ ଗୋଷ୍ଠୀ କନ୍ଦଳ ଯୋଗୁଁ ତାଙ୍କ ବିରୋଧରେ ୧୩ ସଦସ୍ୟରୁ ୧୦ଜଣ ଅନାସ୍ଥା ବିରୋଧରେ ଭୋଟ ଦେଇଥିଲେ ।
ନୀଳଗିରି: ନୀଳଗିରି ଏନଏସି ପୂର୍ବରୁ ବିଜେଡିରେ ଦଖଲରେ ଥିଲା । ଅଧ୍ୟକ୍ଷା ଥିବା ଅମ୍ବିକା ଦାଶଙ୍କ ବିରୋଧରେ ଆସିଥିଲା ଅନାସ୍ଥା । ମୋଟ ୧୩ ସଦସ୍ୟଙ୍କ ମଧ୍ୟରୁ ୧୦ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ ।
ଜୁନାଗଡ଼: ଜୁନାଗଡ଼ ଏନଏସି ବିଜେପି ଦଖଲରେ ଥିଲା । ମୁକେଶ ଅଗ୍ରୱାଲ ଏହାର ଅଧ୍ୟକ୍ଷ ଥିଲେ । ୧୨ ସଦସ୍ୟଙ୍କ ଭିତରୁ ୧୦ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେବା ପରେ ପଦ ହରାଇଥିଲେ ମୁକେଶ ଅଗ୍ରୱାଲ । ଆଗାମୀ ଦିନରେ ଏଗୁଡ଼ିକ ବିଜେଡି ପାଇଁ ଏସିଡ୍ ଟେଷ୍ଟ ହେବ। କାରଣ ଆଗକୁ ରହିଛି ତୃଣମୂଳସ୍ତରରେ ନିର୍ବାଚନ ।