କନକ ବ୍ୟୁରୋ : ଚାଷୀ ସମସ୍ୟାକୁ ନେଇ ବରଗଡ଼ରେ ସମାବେଶ କରିଛି ବିଜେଡି । ବିଶାଳ ରାଲି କରିବା ସହ ସମାବେଶ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା । ସେପଟେ ୨୪ ବର୍ଷର ସରକାରରେ ଥିବା ଦଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଅଭିଯୋଗ ଆଣିଛି ବିଜେପି ।
ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ମାଟିରୁ ଚାଷୀ ସମସ୍ୟାକୁ ନେଇ ଗର୍ଜିଛି ବିଜେଡି । ଶହ ଶହ ଚାଷୀଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦଳୀୟ ନେତା । ସମାବେଶ ପୂର୍ବରୁ ଜିରା ନଦୀଖଣ୍ଡିରୁ ଏକ ଶୋଭାଯାତ୍ରା ବାହାରି ଗାନ୍ଧିଛକରେ ପହଞ୍ଚିଥିଲା । ତାପରେ ଆୟୋଜିତ ଚାଷୀ ସମାବେଶରେ ପଶ୍ଚିମ ଓଡିଶାର ବିଜେଡି ନେତା ଏକାଠି ହୋଇଥିଲେ । ସରକାରଙ୍କୁ ଟାର୍ଗେଟ କରିଥିଲେ । ଏଥିସହ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ସରକାରଙ୍କ କୃଷକ ମାରଣନୀତି ଅଭିଯୋଗରେ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ଦିଆଯାଇଛି । ଦଳ ଅଭିଯୋଗ କରିଛି, ୮୦୦ ଟଙ୍କା ଇନପୁଟ ସହାୟତାରୁ ଚାଷୀଙ୍କୁ ବଞ୍ଚିତ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି ।
ଖରିଫ ଧାନ ବିକ୍ରିରେ ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । କିନ୍ତୁ ବିଜେଡି ଚାଷୀ ସମାବେଶ କରିବା ପୂର୍ବରୁ ଗତକାଲି ବଂଶାବଳୀ ନିୟମକୁ କୋହଳ କରିଦେଇଥିଲେ ରାଜ୍ୟ ସରକାର । ଯାହାଫଳରେ ଆଜିର ସମାବେଶରେ ଚାଷୀ କମ ଓ ବିଜେଡି କର୍ମୀଙ୍କୁ ଅଧିକ ଦେଖିବାକୁ ମିଳିଥିଲା । ବିଜେଡିର ଚାଷୀ ସମାବେଶକୁ କାଉଣ୍ଟର କରିଛି ବିଜେପି । ଦଳ କହିଛି, ୨୪ ବର୍ଷ ସରକାରରେ ଥିବା ଦଳ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି ଓ ରାଜନୀତି କରୁଛି ।
ବରଗଡ଼ ଜିଲ୍ଲାରେ ଗତ ବିଧାନସଭା ନିର୍ବାଚନରେ ବିଜେଡି ମୂଳପୋଛ ହୋଇଯାଇଥିଲା । ୫ ବିଧାନସଭା ଆସନରୁ ୪ ଆସନରେ ବିଜେପି ଜିତିଥିବାବେଳେ ପଦ୍ମପୁରରେ ବିଜେଡିର ବର୍ଷା ସିଂ ବରିହା ଜିତିଛନ୍ତି । ଏବେ ବରଗଡ଼ରେ ଚାଷୀ ସମାବେଶ କରି ଜିଲ୍ଲାରେ ପୁଣି ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡି ।