କନକ ବ୍ୟୁରୋ : ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆଜି ବାଲେଶ୍ବର ବନ୍ଦ । ଆଜି ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ସକାଳୁ ସକାଳୁ ପଡିଛି । ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବାକୁ ଛାଡିଦେଲେ ଆଜି ସବୁ ବନ୍ଦ ରହିବ। ବାଲେଶ୍ବର ଜିଲ୍ଲାରେ ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ରଖିବାକୁ ବିଜେଡି ପକ୍ଷରୁ କୁହାଯାଇଛି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଗତକାଲି ରାଜଧାନୀରେ ବିଜେଡି ପକ୍ଷରୁ କ୍ୟାଣ୍ଡେଲ ରାଲି ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲା ବିଜେଡି ।
କେବଳ ବାଲେଶ୍ୱର ନୁହେଁ ସମାନ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଭୁବନେଶ୍ବରରେ ଲୋକସେବା ଭବନ ଘେରିବ ବିଜେଡି । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କୁ ସକାଳ ସାଢେ ୯ଟା ସୁଦ୍ଧା ପହଞ୍ଚିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଠିକ୍ ସାଢେ ୯ଟାରେ ଲୋକସେବା ଭବନ ସମ୍ମୁଖ ଫାଟକ ବନ୍ଦ କରାଯିବ । ବିଜେଡି ଘେରାଉ ପାଇଁ ଘୋଷଣା କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ସୋମବାର ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଥିଲା।