କନକ ବ୍ୟୁରୋ: ରାଜ୍ୟରେ ପୂର୍ବ ସରକାର ସମୟରେ ଝୋଟ ବ୍ୟାଗ ବଣ୍ଟନ କରଯାଇଥିଲା । ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝୋଟ ବ୍ୟାଗ ବଣ୍ଟନ କରିବା ସହିତ ପରିବାର ପିଛା ୧୦୦୦ ଟଙ୍କା ବଣ୍ଟନ କରଥିଲେ ତତ୍କାଳୀନ ସରକାର । ଏଥିପାଇଁ କେଉଁ ଜିଲ୍ଲାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ । ତା ସହିତ ଯେଉଁମାନେ ଏହା ପାଇବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ନେଇ ପ୍ରଶ୍ନ କରିଥିଲେ ଅମରେନ୍ଦ୍ର ଦାସ । ଗୃହରେ ଏହାର ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । 

 

ରାଜ୍ୟର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ଝୋଟ ବ୍ୟାଗ ବଣ୍ଟନ କରାଯାଇଥିଲା । ଏଥିପାଇଁ ମୋଟ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୨୯୭ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି । ଏହାକୁ ନେଇ ତାଲିକା ମଧ୍ୟ ଦେଇଛନ୍ତି । ଏହି କ୍ରମରେ ପରିବାର ପିଛା ଯେଉଁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା, ସେଥିପାଇଁ ୯୫୯ କୋଟି ୫ ଲକ୍ଷ ୨୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଯେଉଁମାନେ ଏହା ପାଇବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଏହି ଅର୍ଥ ପ୍ରଦାନ କରିବାକୁ ବର୍ତ୍ତମାନ କୌଣସି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।