କନକ ବ୍ୟୁରୋ: ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲି କୁହାଯାଏ । ସରକାରଙ୍କ ନୀତି, ଅନୀତି, ଉନ୍ନତି-ଅବନ୍ନତି, ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନନକୁ ଆଣିଥାଏ ଗଣମାଧ୍ୟମ । ଗଠନ ମୂଳକ ସମାଲୋଚନା କରିଥାଏ । କିନ୍ତୁ ଓଡିଶାର ପୂର୍ବ ସରକାର କେମିତି ଗଣମାଧ୍ୟମର କଣ୍ଠରୋଧ କରିଥିଲେ ସେନେଇ ଅଙ୍ଗେନିଭା ଅନୁଭୂତିକୁ ବଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୂର୍ବ ସରକାର ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ କେମିତି ସ୍ୱେଚ୍ଛାଚାରୀ ହୋଇ ପଡିଥିଲେ, ଡରାଇ, ଧମକାଇ ଗଣମାଧ୍ୟମର କଣ୍ଠରୋଧ କରୁଥିଲେ, ତାର ମୁଖା ଖୋଲିଛନ୍ତି ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୈନିକ ଖବରକାଗଜ ନିର୍ଭୟର ବାର୍ଷିକ ଉତ୍ସବରେ ସାମିଲ ହୋଇ, ପୂର୍ବ ସରକାର ସମୟରେ କଣ ଚାଲିଥିଲା, ବ୍ୟକ୍ତିଗତ ଅନୁଭୂତିକୁ ବଖାଣିଛନ୍ତି । କହିଛନ୍ତି, ସେ ସମୟରେ କିଛି ସମ୍ବାଦ ପତ୍ର ଓ ଗଣମାଧ୍ୟମକୁ କୌଣସି ସରକାରୀ ବିଜ୍ଞାପନ ନଦେବାକୁ ଅଘୋଷିତ ଆଦେଶ ଜାରି ହୋଇଥିଲା । ଶାସକ ଦଳ ମୁଖିଆଙ୍କ କଥା ମାନିବାକୁ ସିଧାସଳଖ ମନା କରିବାରୁ ସରକାର ଏଭଳି ଆଦେଶ ଦେଇଥିଲେ ।
କେବଳ ଏତିକି ନୁହେଁ,ଗଠନ ମୂଳକ ସମାଲୋଚନା କଲେ କେମିତି ଆକ୍ରୋଶର ଶିକାର ହେବାକୁ ପଡୁଥିଲା । ପ୍ରଶାସନିକ କଳକୁ ବ୍ୟବହାର କରି କୋକୁଆ ଭୟ ସୃଷ୍ଟି କରାଯଉଥିଲା । ବିଜ୍ଞାପନ ଓ ଅନ୍ୟାନ୍ୟ ଅନୁଗ୍ରହର ଲୋଭ ଦେଖାଇ ଶାସକ ଦଳର କଥାକୁ ମାନିବାକୁ ଗଣମାଧ୍ୟମ ସଂସ୍ଥାକୁ ବାଧ୍ୟ କରାଯାଉଥିଲା, ତାର ଗୁମର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବ ସରକାର ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଥିଲେ । ଯେଉଁ ଗଣମାଧ୍ୟମ ସରକାରଙ୍କ ଗୁଣ ଗାଉଥିଲେ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିଲା ବିଜେଡି ସରକାର। ହେଲେ, ଯେଉଁ ଗଣମାଧ୍ୟମ ଲୋକଙ୍କ ସ୍ୱର ସାଜୁଥିଲା ସେମାନଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ନେଉଥିଲେ ତତ୍କାଳୀନ ସରକାର । ଆଉ ଏବେ ସରକାର ପରିବର୍ତନ ପରେ ତତ୍କାଳୀନ ବିଜେଡି ସରକାରର ମୁଖା ଖୋଲିଛନ୍ତି ବର୍ତମାନର ମୁଖ୍ୟମନ୍ତ୍ରୀ ।