କନକ ବ୍ୟୁରୋ : ଯାଜପୁର ଧର୍ମଶାଳା ରାଜନୀତିରେ ହଟଚମଟ । ଅନାସ୍ଥା ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ଏହା ସହ ବିଜେଡି ହାତରୁ ଖସିଛି ଧର୍ମଶାଳା ବ୍ଲକ । ହାଇଭୋଲଟେଜ ଲଢ଼େଇ ପୂର୍ବରୁ ହାତ ଟେକି ଦେଇଛନ୍ତି ପ୍ରଭାତ । ୪୫ ପଞ୍ଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକରେ ୨୦୧୭ରୁ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିଲେ ପ୍ରଭାତ । ନୂଆ ସରକାର ଆସିବା ପରେ ପ୍ରଭାତଙ୍କ ନାଁରେ ସରକାରୀ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ କରି ୩୮ ସରପଞ୍ଚ ଆଣିଥିଲେ ଅନାସ୍ଥା । ୨୨ ତାରିଖରେ ଅନାସ୍ଥା ଭୋଟ୍ ପୂର୍ବରୁ ଇସ୍ତଫା ଦେଇଛନ୍ତି ପ୍ରଭାତ । ଚର୍ଚ୍ଚା ହେଉଛି, ସ୍ବାଧୀନ ବିଧାୟକ ହିମାଂଶୁ ସାହୁଙ୍କ ରାଜନୈତିକ ଗୋଟି ଚାଳନାରେ ଅନାସ୍ଥାରେ ହାରିଯିବାର ଆଗୁଆ ଆଭାସ ପାଇଥିଲେ ପ୍ରଭାତ ।
ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ପ୍ରଭାତ । ହେଲେ ଭିଡିଓ ବାର୍ତ୍ତାରେ ପଞ୍ଚାୟତ ପ୍ରତିନିଧିଙ୍କ ସୁରକ୍ଷା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କହିଥିଲେ । କିନ୍ତୁ ସରପଞ୍ଚମାନେ ଆଣିଥିବା ଅଭିଯୋଗକୁ ନେଇ ପଦୁଟିଏ କହିନଥିଲେ ପ୍ରଭାତ। ଅନ୍ୟପଟେ ପୂର୍ବ ବ୍ଳକ ଅଧ୍ୟକ୍ଷଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଥିବା କହି ଘେରିଛନ୍ତି ସ୍ବାଧୀନ ବିଧାୟକ ହିମାଂଶୁ ସାହୁ । ପ୍ରଭାତଙ୍କ ଇସ୍ତଫା ସହ ଧର୍ମଶାଳା ରାଜନୀତି କଡ଼ ଲେଉଟାଇଛି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଭେଦ୍ୟ ଗଡ଼ ଭାଙ୍ଗିଛି । ଯାହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିମାଂଶୁଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ।