କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ବିଜେଡିରେ ଗୋଷ୍ଠୀ କନ୍ଦଳ। କଟକରେ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳନ ଅବସରରେ ଅଲଗା ଅଲଗା ରାଲିରେ ଆସିଛନ୍ତି ମେୟର ସୁବାସ ସିଂହ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଯାହା ଦଳରେ ଅନ୍ତଃକନ୍ଦଳକୁ ପଦାରେ ପକାଇଛି।
ଆଜି ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ଅବସରରେ କଟକରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଗୋଟିଏ ପଟେ କଟକ ମେୟର ସୁବାସ ସିଂହ ତାଙ୍କ ସମର୍ଥକମାନଙ୍କୁ ନେଇ ରାଲିରେ ଆନନ୍ଦ ଭବନ ଆସିଥିବା ବେଳେ ଅନ୍ୟପଟେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ନିଜ ସମର୍ଥକଙ୍କୁ ଧରି କରିଥିଲେ ପୃଥକ ରାଲି। ତୁଳସୀପୁର ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ତେବେ ଗୋଟିଏ ଜାଗା, ଗୋଟିଏ ଦଳ, ଗୋଟିଏ କାର୍ୟ୍ୟକ୍ରମ। କିନ୍ତୁ ଗୋଷ୍ଠୀ ଅଲଗା ଅଲଗା ହୋଇ ଆସିବା ଏବେ ବିଜୁ ଜନତା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି।
ଗତ ଦୁଇ ଦିନ ତଳେ ବିଜେଡି ପକ୍ଷରୁ ହୋଲି ପାଇଁ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ହୋଇଥିଲା। ସେଥିରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଜିଲା ସଭାପତି ପ୍ରଫୁଲ୍ଲ ସିଂ ଓ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିବାବେଳେ ମେୟର ସୁବାସ ସିଂ ଓ ତାଙ୍କ ସମର୍ଥକ ମାନେ ଅନୁପସ୍ଥିତ ଥିଲେ। ଏପଟେ ଏଭଳି ସ୍ଥିତି ବାରମ୍ବାର ସାମ୍ନାକୁ ଆସିବା ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। କଟକରେ ବିଜୁ ଜନତା ଦଳର ଏ ଗୋଷ୍ଠୀ କନ୍ଦଳର ଅନ୍ତ କେବେ ତାହା ଦେଖିବାର କଥା।
Follow Us