କନକ ବ୍ୟୁରୋ: ତୃଣମୂଳସ୍ତରର ନେତା ଦଳ ଛାଡ଼ୁଥିଲେ, ହେଲେ ଆଜି ପୁରୁଖା ତଥା ପ୍ରତିଷ୍ଠାତା ସଦସ୍ୟ ବିଜେଡି ଛାଡ଼ିଛନ୍ତି । ନବୀନ ଦିଲ୍ଲୀରେ ଥିବା ବେଳେ ଦକ୍ଷିଣ ଓଡ଼ିଶାର ଚେହେରା ସାଜିଥିବା ପୂର୍ବତନ ସାଂସଦ ଓ ମନ୍ତ୍ରୀ ବିଜେଡି ଛାଡ଼ି ବିଜୁଙ୍କ ନାଁରେ ଗଢ଼ିଛନ୍ତି ନୂଆ ସଙ୍ଗଠନ ।
- ରାୟଗଡ଼ାରେ ପଡ଼ିଲା ବିଜେଡିର ଡବଲ ଓ୍ବିକେଟ୍
- ଦଳ ଛାଡ଼ିଲେ ଏନ୍.ଭାସ୍କର ରାଓ ଓ ଲାଲ ବିହାରୀ ହିମିରିକା
୨୦୨୪ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ସବୁଠୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବିଜେଡି । ଭୁଶୁଡ଼ି ପଡ଼ିଥିଲା ବିଜେଡିର ଅଭେଦ୍ୟ ଦୁର୍ଗ । ଆଉ ୧୬ ମାସ ପରେ ପୁଣିଥରେ ବିଜେଡିକୁ ଲାଗିଛି ୪୪୦ ଭୋଲ୍ଟର ଝଟକା । ଦକ୍ଷିଣ ଓଡ଼ିଶାର ବିଜେଡିର ଚେହେରା ଥିବା ଏନ୍ ଭାସ୍କର ରାଓ ଓ ଲାଲ ବିହାରୀ ହିମିରିକା ବିଜେଡିକୁ ବାଏ ବାଏ କରିଛନ୍ତି । ତେବେ ଦଳ ସହ ଦଶନ୍ଧି ଦଶନ୍ଧିର ସମ୍ପର୍କ କାହିଁକି କାଟିଲେ ତାହାର ପୂରା ଚିଠା ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ଏହି ୨ ଭେଟେରାନ୍ ନେତା । ବିଜେଡିର ତୃଣମୂଳସ୍ତରର ନେତା ମଧ୍ୟ ଭାସ୍କରଙ୍କ ଇସାରାରେ ଦଳ ଛାଡ଼ିଛନ୍ତି ।
- ନବୀନଙ୍କୁ ଛାଡ଼ିଲେ, ବିଜୁଙ୍କୁ ଧରିଲେ
- ଗଠନ କଲେ ‘ବିଜୁ ସ୍ବାଭିମାନ ମଞ୍ଚ’
ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିବା ଭାସ୍କର ଓ ହିମିରିକା, ନବୀନଙ୍କୁ ଛାଡ଼ି ଏବେ ବିଜୁଙ୍କ ବ୍ୟାନରରେ ଆଗକୁ ବଢ଼ିବେ । କୌଣସି ଦଳରେ ମିଶିବେନି ବୋଲି ରୋକଠୋକ କହିଛନ୍ତି । ବିଜୁ ସ୍ବାଭିମାନ ମଞ୍ଚ ଗଢ଼ି ଏଥିରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଭାସ୍କର ।
- ଦକ୍ଷିଣ ପରେ ଉତ୍ତରରେ ହଲଚଲ
- ମୁହାଁମୁହିଁ ବିଜେଡି ନେତା
ବାଲେଶ୍ବର ବିଜେଡିର ଦୁଇ ନେତାଙ୍କ କାଦୁଅଫିଙ୍ଗା ରାଜନୀତି ଦଳର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ସାଇବେରିଆ ପକ୍ଷୀ ଉପାଖ୍ୟାନକୁ ନେଇ ଦଳରେ ଅସନ୍ତୋଷ ତେଜିଛି । ଯାହାର କଡା ଜବାବ ରଖିଛନ୍ତି ସୁବାସିନୀ ସାହୁ । ତେବେ ଉପକୂଳରୁ ଉପାନ୍ତ, ବଳ ହରାଉଛି ବିଜେଡି । ଏଭଳି ସ୍ଥିତି ଲାଗି ରହିଲେ, ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ବଡ଼ ଆହ୍ବାନ ହେବ ।