କନକ ବ୍ୟୁରୋ: ଚେନ୍ନାଇରେ ହେବ ଡିଲିମିଟେସନ୍ର ସ୍ୱତନ୍ତ୍ର ବୈଠକ । ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ଡିଲିମିଟେସନର ସ୍ୱତନ୍ତ୍ର ବୈଠକ । କ୍ଷତିଗ୍ରସ୍ତ ହୋଇଥିବା ୭, ୮ ରାଜ୍ୟ ବୈଠକରେ ସାମିଲ ହେବେ । ଏହି ସ୍ୱତନ୍ତ୍ର ବୈଠକୁ ବିଜେଡି ସମର୍ଥନ ଜଣାଇଛି ।
ଡିଲିମିଟେସନ୍ର ସ୍ୱତନ୍ତ୍ର ବୈଠକ ପରେ ଓଡିଶାରେ ୨୧ ବଦଳରେ ୨୮ ହେବ ଆସନ ! ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୨୦୨୬ ପୁନଃ ସୀମାନିର୍ଦ୍ଧାରଣ ସହିତ ବଢିବ ଦେଶର ସାଂସଦଙ୍କ ସଂଖ୍ୟା । ଲୋକସଭା ଆସନ ବଢି ୮୪୮ କୁ ଛୁଇଁପାରେ । ଏହି କ୍ରମରେ ଓଡ଼ିଶା ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବଢିପାରେ । ତେବେ ଏହାରି ଭିତରେ ସବୁଠୁ ଅଧିକ ଆସନ ହେବ ଉତ୍ତରପ୍ରଦେଶର, ଏହାପରେ ମହାରାଷ୍ଟ୍ର, ତାମିଲନାଡୁ ଓ ବିହାର ରହିପାରେ । ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନାରେ ୫୪, ପଶ୍ଚିମବଙ୍ଗରେ ଲୋକସଭା ଆସନ ସଂଖ୍ୟା ୬୦ ହୋଇପାରେ ।
ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ବଡ ବାଧକ ଜନଗଣନା । ଏଯାଏଁ କେନ୍ଦ୍ର ଏହି ପ୍ରକ୍ରିୟା ଆରମ୍ଭ କରିନି । ଯଦି ୨୦୨୬ରେ ଜନଗଣନା ହୁଏ ତେବେ ଲୋକସଭା ସହିତ ଅନୂରୁପ ହାରରେ ବିଧାନସଭା ସିଟ୍ ମଧ୍ୟ ବଢିବ । ଓଡିଶା ବିଧାନସଭା ଆସନ ସଂଖ୍ୟା ୧୯୬ ଛୁଇଁପାରେ । ଆହୁରି ସ୍ପଷ୍ଟ ଭାବେ କହିବାକୁ ଗଲେ, ଏସବୁ କାର୍ଯ୍ୟକାରୀ କରାଗଲେ ଆହୁରି ଅଧିକ ୪୯ ବିଧାୟକଙ୍କୁ ଓଡିଶା ନିର୍ବାଚିତ କରିବ । ତେଣୁ ପ୍ରଶ୍ନ ଉଠୁଛି, ବର୍ତ୍ତମାନ ବିଧାନସଭାରେ ଏତେ ଅଧିକ ବିଧାୟକ ବସିବାକୁ ସ୍ଥାନ ଅଛି ତ ? ବିଧାନସଭା ଆକାର ବଢ଼ାଇବା ପାଇଁ ଚିନ୍ତା କଲେଣି କି ସରକାର ?
ବଢିବ ଲୋକସଭା ସହ ବିଧାନସଭା ଆସନ! ଓଡ଼ିଶାରେ ୨୮ ଛୁଇଁପାରେ ଲୋକସଭା ଆସନ, ବିଧାନସଭା ଆସନ ହେଇପାରେ ୧୯୬
୧୯୭୭ ମସିହା ପରେ ଦେଶରେ ଲୋକସଭା ଆସନ ସଂଖ୍ୟା ବଢିନି । ଯଦିଓ ଓଡିଶାରେ ୨୦୦୯ରେ ନିର୍ବାଚନ ପୂର୍ବରୁ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ଆଂଶିକ କରାଯାଇଛି । ତେଣୁ ଏବେଠୁ ରାଜନୈତିକ ଚର୍ଚ୍ଚା ହେଲାଣି, କେଉଁ ନିର୍ବାଚନ ମଣ୍ଡଳୀ ଭାଙ୍ଗିବ ଓ କେଉଁ ନୂଆ ଆସନ ଜନ୍ମ ନେବ ? ଏହାକୁ ନେଇ ଡିଲିମିଟେସନ ବୈଠକ କରାଯାଉଛି । ସେପଟେ ରାଜ୍ୟ ରାଜନୀତିରେ ଏବେ ହଟଚମଟ । ବିଧାନସଭାରେ ହଙ୍ଗାମା ପରେ ବଢିଛି ରାଜନୀତିର ପାରା । ଏକଦା ବିଜୁ ଜନତା ଦଳ ଶାସନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୨୧ ମସିହାରେ ଖୋଜିବାକୁ ନବୀନ ନିବାସ ଯାଇଥିଲେ ବିରୋଧୀ । ମାତ୍ର ୪ ବର୍ଷ ପରେ ସ୍ଥିତି ଓଲଟିଛି । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି ବିଜେଡି ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ପ୍ରତିବାଦ କରିଥିଲା । ଲଣ୍ଠନ ଧରକି ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ଗୃହ ଭିତରେ ହାତାହାତି ପରେ ବିଜେଡି ବିଧାୟ ବିଧାନସଭା ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଆସି ଧାରଣା ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁଆଡ଼େ ଗଲେ ଲେଖାଥିବା ପୋଷ୍ଟର ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଗରେ ପ୍ରତିବାଦ କରିଛନ୍ତି ।