କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଲାନି ବିଜେଡି । ଦଳର ସବୁତକ ରାଜ୍ୟସଭା ସାଂସଦ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇନାହାଁନ୍ତି । ହେଲେ ତା ପରେ ବି, ଏନଡିଏ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେଇଛନ୍ତି । ଆଉ ଦେଶର ନୂଆ ଉପରାଷ୍ଟ୍ରପତି ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । ତେଣୁ ଏବେ କଥା ଉଠୁଛି, ଉପରାଷ୍ଟ୍ରପତି ନିର୍ବାଚନରେ ନିରବ ରହି, ବିଜେଡି ପାଇଲା କଣ? ଭୋଟ୍ ନଦେଇ ବିଜେଡିର କଣ ଲାଭ ହେଲା?
ଲୋକସଭାରେ ଏବେ ବିଜେଡିର ସାଂସଦ ସଂଖ୍ୟା ଶୂନ୍ ଆଉ ରାଜ୍ୟସଭାରେ ଦଳର ସଂଖ୍ୟା କେବଳ ୭ । ହେଲେ ତା ପରେ ବି ବିଜେଡିର ସମର୍ଥନ ପାଇବା ପାଇଁ ବିଜେପି ନେତାମାନେ ନବୀନଙ୍କ ସହ କଥା ହୋଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ନବୀନଙ୍କ ସହ ଫୋନରେ କଥା ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଥିଲା । ହେଲେ ବିଜେଡି କିନ୍ତୁ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ନଦେଇ, ଭୋଟ୍ ଦାନ ପ୍ରକ୍ରିୟାରୁ ଦୂରେଇ ରହିବ ବୋଲି ଘୋଷଣା କଲା । ହେଲେ ଅସଲ କଥା ହେଉଛି, ଏହି ନିର୍ବାଚନରେ ଭୋଟ୍ ନଦେଇ, ବିଜେଡିକୁ କିଛି ଫାଇଦା ହେଲା କି? ନା କେବଳ ବିରୋଧ କରିବନି ବୋଲି ବିଜେଡି ଚୁପ୍ ହେଇ ବସିଲା ତାକୁ ନେଇ ଚର୍ଚ୍ଚା ବଢ଼ିଛି ।
ଆପଣ ଭଲ ଭାବେ ଜାଣିଥିବେ, ମୋଦୀ ସରକାରର ଅନେକ ପ୍ରସଙ୍ଗକୁ ନବୀନ ଖୋଲାମଞ୍ଚରେ ସମର୍ଥନ ଜଣାଇଛନ୍ତି । ସଂସଦରେ ଯେକୌଣସି ବିଲ୍ ହେଉ କି, ଆଉ କିଛି, ବିଜେଡି ସାଂସଦମାନେ ଅଧିକାଂଶ ସମୟରେ ଏନଡିଏ ମେଣ୍ଟକୁ ସମର୍ଥନ ଜଣାଇ ଆସୁଥିଲେ । ହେଲେ ଯେବେଠୁ ଓଡ଼ିଶାରେ ସରକାର ବଦଳିଛି, ସେବେଠୁ ବିଜେଡି-ବିଜେପି ସମ୍ପର୍କରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକୁ ନେଇ ଓଡ଼ିଶା ରାଜନୀତି ମଧ୍ୟ ସରଗରମ ରହିଛି । ଓ୍ୱାକଫ୍ ବିଲ୍ ସମୟରେ ବିଜେଡିର କିଛି ନେତା ଏହି ବିଲକୁ ସମର୍ଥନ କରିଥିବାବେଳେ, କିଛି ନେତା ଏହାକୁ ବିରୋଧ କଲେ । ତେଣୁ ଏଭଳି ସମୟରେ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇ, ସେଫ୍ ଗେମ୍ ଖେଳିଥିବା ଚର୍ଚ୍ଚା ହେଉଛି ।
ଚର୍ଚ୍ଚା ହେଉଥିଲା ବିଜେଡି ଯଦି ଉପରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ୍ କରେ, ତେବେ ବିଜେପି ନେତାଙ୍କର ରୋଷର ଶିକାର ହୋଇପାରେ । ଅନ୍ୟପଟେ ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କୁ ଯଦି ବିଜେଡି ସପୋର୍ଟ କରିଥାନ୍ତା, ତେବେ ବିଜେଡି-ବିଜେପି ଏକ ବୋଲି କେଉଁଠି ନା କେଉଁଠି ଲୋକଙ୍କ ପାଖକୁ ଖବର ଯାଇଥାନ୍ତା । ତେଣୁ ଦୁଇ ଆଡକୁ ଦେଖି ନବୀନ ସମଦୂରତ୍ୱ କାର୍ଡ ଖେଳିବା ସହିତ, ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ବିଜେଡିର ଏ ନିଷ୍ପତ୍ତି ବିଜେପିକୁ ଫାଇଦା ଦେଇଛି ବୋଲି ବିଜେପି ନେତା କହୁଛନ୍ତି । ଅନ୍ୟପଟେ ନବୀନ ସମଦୂରତ୍ୱ ଫର୍ମୁଲା ଆପଣେଇ ବିଜେଡି-ବିଜେପି ସମ୍ପର୍କକୁ ଆହୁରି ଅଧିକ ରୋଚକ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ଦେଖିବାକୁ ବାକି ରହିଲା, ଆଗକୁ ଏ ସମ୍ପର୍କ କେଉଁ ମୋଡ଼ ନେଉଛି ?