କନକ ବ୍ୟୁରୋ: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ଆଜି ୧୮ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ନାଁ ଘୋଷଣା କରିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ। ତାଲିକାରେ ସ୍ଥାନ ପାଇଛନ୍ତି ନୂଆ ଓ ପୁରୁଣା ମୁହଁ। ପୁରୀରେ ଦିବାକର ପାତ୍ରଙ୍କୁ ଆଉଟ୍ କରି ଉମା ସାମନ୍ତରାୟଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି କନ୍ଧମାଳର ସାଙ୍ଗଠନିକ ଦାୟିତ୍ବକୁ ଫେରିଛନ୍ତି ଭେଟେରାନ ପଦ୍ମନାଭ ବେହେରା। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ କେଁ, କଥା କଟାକଟି ହେଲେ ଧ୍ରୁବ ଓ ଦେବୀ।
- ପଦ-ପଦବୀକୁ ନେଇ ବିଜେଡିରେ ଛକାପଞ୍ଝା
- ଶଙ୍ଖ ଭବନରେ ନେତାଙ୍କ କଥା କଟାକଟି
- ଦେବୀ ମିଶ୍ର- ଧ୍ରୁବ ସାହୁ ଉଚ୍ଚବାଚ!
ଓ୍ୱାକଫ ବିଲକୁ ନେଇ ବିଜେଡିରେ ମହାଭାରତ ପରେ ଏବେ ଦଳୀୟ ନିର୍ବାଚନ ଦଳ ପାଇଁ ବଡ ଆହ୍ୱାନ ସୃଷ୍ଚି କରିଛି । ଜିଲ୍ଲା ସଭାପତିଠାରୁ ଆରମ୍ଭ କରି ରାଜ୍ୟ ପଦାଧିକାରୀ ସବୁକୁ ନେଇ ଦଳ ଭିତରେ ଛକାପଞ୍ଝା ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲା ସଭାପତି କିଏ ହେବ ତାକୁ ନେଇ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର ଓ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି ।
ସୂଚନା ଅନୁସାରେ ଶଙ୍ଖ ଭବନରେ ଜିଲ୍ଲା ସଭାପତି ଚୟନକୁ ନେଇ ବୈଠକ ବସିଥିଲା । ହେଲେ ସଭାପତି ପଦ ପାଇଁ ବିଧାୟକ ରଖିଥିବା ପ୍ରସ୍ତାବକୁ ଗ୍ରହଣ କରିନଥିଲେ ଦଳର ବରିଷ୍ଠ ନେତା । ଯାହାକୁ ନେଇ ନେତାଙ୍କ ଭିତରେ ତୁ ତୁ ମେଁ ମେଁ ହୋଇଥିଲା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି , କୌଣସି କଥା କଟାକଟି ହୋଇନି। କେବଳ ଆଲୋଚନା ହୋଇଛି ।
ତେବେ କ୍ଷମତାରୁ ବିଜେଡି ହଟିବା ପରେ ଦଳୀୟ ପଦ ବଣ୍ଟନ ସୁପ୍ରିମୋଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଅନେକ ଆଶାୟୀ ପଦ ଅପେକ୍ଷାରେ ଅଛନ୍ତି । ପ୍ରାୟ ୧୧ରୁ ୧୨ ସାଙ୍ଗଠନିକ ଜିଲ୍ଲାକୁ ନେଇ ସୃଷ୍ଟି ହୋଇଛି ଅଡୁଆ । କଳାହାଣ୍ଡି, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବାଲେଶ୍ୱର, ମୟୂରଭଞ୍ଜ ସଦର, ଭୁବନେଶ୍ୱର, କନ୍ଧମାଳ, କୋରାପୁଟ ଅଙ୍କ ଛିଣ୍ଡି ପାରୁନି । ସେପଟେ ଖୁବଶୀଘ୍ର ୧୬ରୁ ଉର୍ଦ୍ଧ୍ୱ ଜିଲ୍ଲା ସଭାପତି ନା ଘୋଷଣା ହୋଇପାରେ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦର ୩୭୦ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀରେ ୮୧ ନିଯୁକ୍ତି ନେଇ ୧୭ ପୂର୍ବରୁ ପ୍ରକ୍ରିୟା ସରିବ । ତା’ପରେ ୧୯ରେ ରାଜ୍ୟ ସଭାପତି ଚୟନ ହେବେ।
- ମେଳି କରିଥିବା ନେତାଙ୍କ ହେବ ପକ୍ଷ ଛେଦନ !
- ନକ୍ସା ପ୍ରସ୍ତୁତ କରୁଛନ୍ତି କାର୍ପଟଦାର ଗୋଷ୍ଠୀ
ପାଣ୍ଡିଆନକୁ ନେଇ ଦୁଇଭାଗ ହୋଇସାରିଛି ବିଜେଡି । ଯେଉଁ ଗୋଷ୍ଠୀର ନେତାମାନେ ବିରୋଧ କରି ମେଳି କରୁଥିଲେ ସେମାନଙ୍କୁ ବଡ ପଦ ପଦବୀ ମିଳିନପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ବିଜେଡିର ଯେଉଁ ନୂଆ ତାଲିକା ଆସୁଛି, ସେଥିରେ କାହା ଗୋଷ୍ଠୀକୁ ଅଧିକ ଗୁରୁତ୍ୱ ମିଳୁଛି, ତା ଉପରେ ନଜର।