କନକ ବ୍ୟୁରୋ: ବିଜେପିରେ ମିଶିବେ କି ବିଜେଡି କର୍ପୋରେଟର ଅମରେଶ ଜେନା? ଶଙ୍ଖ ଛାଡି ଧରିବେ କି ପଦ୍ମ? ଏହି ଚର୍ଚ୍ଚା ଏବେ ପୁଣିଥରେ ଏଥିପାଇଁ ସାମ୍ନାକୁ ଆସିଛି, କାହିଁକି ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏହି ବିଜେଡି ନେତା । IOCL ଗେଷ୍ଟ୍ ହାଉସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅମରେଶ ଜେନା (ବାଇଁଆ) ଭେଟିଛନ୍ତି, ଆଉ ଭେଟିବା ପରେ ତାଙ୍କର ଏହି ଭେଟଘାଟକୁ ସୌଜନ୍ୟମୂଳକର ନାମ ଦେଇଛନ୍ତି । ହେଲେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ କହିବା କଥା, ଖୁବଶୀଘ୍ର ଅମରେଶ ଶଙ୍ଖ ଶିବିର ଛାଡି, ପଦ୍ମ ଶିବିରରେ ସାମିଲ ହେଇପାରନ୍ତି, ଯେଉଁ କାରଣରୁ ସେ ଲଗାତାର ଏବେ ବିଜେପି ନେତୃତ୍ୱଙ୍କ ସହିତ ମିଟିଂ କରୁଛନ୍ତି ।

Advertisment

ଆପଣମାନେ ସମସ୍ତେ ଜାଣିଥିବେ, ଗତ ୨୦୨୪ ସାଧାରଣ ନିର୍ବାଚନ ବେଳେ କଣ ଘଟିଥିଲା । ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ ଅମରେଶ ଜେନା । ଲଗାତାର ଭାବେ ସେ ନିଜ ଦଳର ନେତା ଅନନ୍ତ ନାରାୟଣ ଜେନାଙ୍କୁ ବିରୋଧ କରିଆସୁଥିଲେ । ଆଉ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ହେଲେ ଦଳର ଶୀର୍ଷ ନେତୃତ୍ୱ କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ପୁଣିଥରେ ଅନନ୍ତଙ୍କ ଉପରେ ଭରସା କରିବା ସହିତ, ତାଙ୍କୁ ଦେଇଥିଲେ ବିଧାନସଭା ଟିକେଟ୍ । ଆଉ ନେତାଙ୍କ ଭରସାକୁ ସତ ପ୍ରମାଣିତ କରି, ନିର୍ବାଚନରେ ଜିତିଥିଲେ ଅନନ୍ତ ।

୨୦୨୪ ନିର୍ବାଚନରେ ବିଜେଡି ଟିକେଟ୍ ନପାଇବା ପରେ, ବିଜେଡି ସହ ଅମରେଶଙ୍କର ଆରମ୍ଭ ହୋଇଥିଲା ତୁ ତୁ ମେଁ ମେଁ । ନିଜେ ସ୍ୱାଧୀନ ପ୍ରାର୍ଥୀ ହେଇ ଲଢ଼ିବା ସହିତ, ଖୋଦ୍ ବିଜେଡି ନେତାଙ୍କ ବିରୋଧରେ ସେ ହେଇଥିଲେ ବିଧାୟକ ପ୍ରାର୍ଥୀ । ଆଉ ନିର୍ବାଚନରେ ହାରିବା ପରେ, ଲଗାତାର ଭାବେ ତାଙ୍କୁ ବିଜେପି ନେତାଙ୍କ ସହିତ ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ରୁକୁଣା ରଥଯାତ୍ରା ବେଳେ ମଧ୍ୟ, ସେ ବିଜେପି ନେତାଙ୍କ ପାଇଁ କରାଯାଇଥିବା ଷ୍ଟେଜରେ ବସିଥିବା ଦେଖିବାକୁ ମିଳିଥିଲା । ଯାହା ପରେ ସେ ବିଜେପିକୁ ଖୁବଶୀଘ୍ର ଡେଇଁପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏବେ ଅମରେଶ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ, ଏହି ଚର୍ଚ୍ଚାକୁ ଆହୁରି ଅଧିକ ବଳ ମିଳିଛି ।