କନକ ବ୍ୟୁରୋ: ଭୁବନେଶ୍ୱରରେ ବିଜେଡି ଫାଟୁଛି ବେଶୀ, ଯୋଡୁଛି କମ । କର୍ପୋରେଟର ଓ ନେତାଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି । କର୍ପୋରଟେର ଅମରେଶ ଜେନା ଓ ବିରଞ୍ଚି ମହାସୁପକାର କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି । ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କୁ ୧୦ ଧାଡିଆ ଉତ୍ତର ରଖିଛନ୍ତି । ଆଉ ନାଁ ନ ନେଇ ଦୁଇ ବରିଷ୍ଠ ନେତା ଅନନ୍ତ ଜେନା ଓ ଅଶୋକ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି ଅମରେଶ ଓ ବିରଞ୍ଚି । କହିଛନ୍ତି, ଆମେ ଦଳର ଶୃଙ୍ଖଳିତ କର୍ମୀ । ହେଲେ ଯୁବନେତାଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ ହେଉଛି । ରାଜଧାନୀରେ ଦଳକୁ କିଏ ଭାଙ୍ଗୁଛି , ତାହା ସମସ୍ତଙ୍କୁ ଜଣା ।
- ତେଜିଲା ଭୁବନେଶ୍ୱର ବିଜେଡି କଳି
- ନାଁ ନ ନେଇ ଅନ୍ତନ୍ତ, ଅଶୋକଙ୍କୁ ଟାର୍ଗେଟ
ଅମରେଶ ଓ ବିରଞ୍ଚିଙ୍କୁ ବିଜେଡିର ଶୀର୍ଷ ନେତୃତ୍ୱ ମନାଇବାକୁ ଉଦ୍ୟମ କରୁଛନ୍ତି । ହେଲେ ଭୁବନେଶ୍ୱର ବିଜେଡି ଗୋଷ୍ଠୀକନ୍ଦଳ ଯୋଗୁଁ ଦଳ ମହାନଗରରେ ଦୁଇଫାଳ ହୋଇଛି । ସେପଟେ କର୍ପୋରେଟରଙ୍କୁ କଡା ଜବାବ ଦେଇଛନ୍ତି ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ଜେନା । ସେ କହିଛନ୍ତି, ବାହାରେ ଫମ୍ପା ମାଠିଆର ଆୱାଜ ଶୁଭୁଛି । ସେମାନଙ୍କ ଏହି ଆୱାଜ ବାହାରେ ରହିବ । ଭୁବନେଶ୍ୱର ବିଜେଡିକୁ କେହି ବି ଭାଙ୍ଗିପାରିବେନି ।
ସୂଚନାଯୋଗ୍ୟ ଯେ, କ୍ଷମତାରୁ ଯିବା ପରେ ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ ବଢିବାରେ ଲାଗିଛି । କର୍ପୋରେଟର ବି ଦୁଇ ଗୋଷ୍ଠୀ ହୋଇଛନ୍ତି । ଆଉ ଏଥିରୁ ଫାଇଦା ନେବା ଚକ୍କରରେ ଅଛି ବିଜେପି । ଆଉ ବିଦ୍ରୋହୀ କର୍ପୋରେଟରଙ୍କ ସ୍ବର ଦଳ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ।