କନକ ବ୍ୟୁରୋ : ଏକ ହେଲେ ବିଜେଡି-କଂଗ୍ରେସ । ବିଧାନସଭା ଗେଟ୍ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ପୋଲିସ ଲଗାଇଥିଲା ବ୍ୟାରିକେଡ୍, ଭାଙ୍ଗିଲେ ବିଜେଡି ଓ କଂଗ୍ରେସ । କଂଗ୍ରେସ ପରେ ପ୍ରତିବାଦକୁ ଓହ୍ଲାଇଛି ବିଜେଡି । ଏଜି ଛକରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଆଜି ବିଜେପି ସରକାର ବିରୋଧରେ ଏକାଠି ସ୍ୱର ଉଠାଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।
ସାରା ରାତି କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଥିଲା । ୧୨ ବିଧାୟକଙ୍କ ନିଲମ୍ବନ ପ୍ରତିବାଦରେ ବିଧାନସଭା ବାହାରେ ରାସ୍ତାରେ ଶୋଇଥିଲେ କଂଗ୍ରେସର ଅନ୍ୟ ବିଧାୟକ । କିନ୍ତୁ ଅଧ ରାତିରେ ସୁରକ୍ଷା କର୍ମୀ ଓ ପୋଲିସ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ଏହି ଘଟଣାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ନିନ୍ଦା କରିବା ସହ ଭାବବିହ୍ବଳ ହୋଇ କାନ୍ଦିପକାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି ଘଟଣା ଇତିହାସରେ ପ୍ରଥମ ବୋଲି କହି ଘଟଣାକୁ ତାରା ନିନ୍ଦା କରିଥିବା ବେଳେ ଆଜି ସକାଳୁ କଂଗ୍ରେସର ସାଥ ଦେବା ପାଇଁ ଆଗେଇ ଆସିଛି ବିଜେଡି । ଏଜି ଛକରେ ବିଜେଡି ବିଧାୟକ ପ୍ରତିବାଦକୁ ଓହ୍ଲାଇଥିବା ବେଳେ, ବିଜେଡି ବିଧାୟକ ଅରୁଣ ସାହୁ କବିତା ଗାଇ ବିଜେପି ସରକାରକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମେ ବିଜେଡି ଦଳ, ଆମେ ଲଢୁଆ ଦଳ, ଓଡିଶାବାସୀଙ୍କ ବଳ... ଏ ଲଢେଇ ଚାଲିଲାରେ, ଚାଲିବ... କ୍ଷମା ନାହିଁ କ୍ଷମା ନାହିଁ, ଏହି ବିଜେପି ସରକାରକୁ କ୍ଷମା ନାହିଁ... କାନ ଖୋଲି ଶୁଣ ଓଡିଶାର ସ୍ୱର, ତୁମେ ଯଦି ପାଲଟିବ ମୁକ ବଧିର... ଓଡିଶାବାସୀ ତୁମକୁ କରିବେ ଗାଦିରୁ ବହିଷ୍କାର ।