କନକ ବ୍ୟୁରୋ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ସାରାରାଜ୍ୟ ସ୍ତବ୍ଧ । ବାଲେଶ୍ବରରୁ ଭୁବନେଶ୍ବର ଉଠୁଛି ପଡୁଛି । କଲେଜ କର୍ତ୍ତୁପକ୍ଷଙ୍କ ବିଫଳତାକୁ ଦାୟୀ କରି ବିରୋଧୀ ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
- ହୁଲସ୍ତୁଲ ସାରା ରାଜ୍ୟ
- ରାସ୍ତାକୁ ଓହ୍ଲାଇଲେ ବିରୋଧୀ
ତଳଠାରୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲା ପରେ ବି କେହି ଶୁଣିଲେନି । ଶେଷରେ ଅସହାୟ ହୋଇ ବାଲେଶ୍ବରର ଛାତ୍ରୀ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିରୋଧୀ ବିଜେଡି, କଂଗ୍ରେସ ଓ ନବନିର୍ମାଣ ସଂଗଠନର କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ନାରାବାଜି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି ।
ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ କୁଳାଧିପତି ଭାବେ ଛାତ୍ରୀ ଜଣଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ନବୀନ । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଛାତ୍ରୀ ଜଣଙ୍କ କିପରି ନ୍ୟାୟ ପାଇବାରୁ ବଞ୍ଚିତ ହେଲେ ସେ ନେଇ ଅଭିଯୋଗ କରିଛନ୍ତି । ବିରୋଧୀ ବିଜେଡି ଓ କଂଗ୍ରେସର ପ୍ରତିନିଧି ଦଳ ଏମ୍ସ ଯାଇ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ଏବଂ ଛାତ୍ରୀଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ରାଜନୀତି ନ କରିବାକୁ ଅପିଲ କରିଛି ବିଜେପି ।
ସୂଚନାଯୋଗ୍ୟ ଯେ, ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ଗତକାଲି ପୀଡ଼ିତାଙ୍କୁ ଭେଟିବାକୁ ପହଞ୍ଚିଥିବା ବିରୋଧୀ ଦଳ ସଦସ୍ୟଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବିଭିପି ଛାତ୍ର ସଂଗଠନର ସଦସ୍ୟ ।