କନକ ବ୍ୟୁରୋ: ଗୋଟିଏ ପଟେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ଅନ୍ୟ ପଟେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମର୍ଥକ । ଦୁଇ ଗୋଷ୍ଟୀଙ୍କ ମଧ୍ୟରେ ଲାଗି ରହିଥିବା କଳି ଏବେ ହାଟରେ ପଡି ଦାଣ୍ଡରେ ଗଡିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବୟାନବାଜି ପରେ ଏବେ ମାମଲା ଥାନାରେ ପହଁଚିଛି । 
 
ଗୋଟିଏ ପଟେ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ଗୋଷ୍ଠୀ ଓ ଅନ୍ୟପଟେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଗୋଷ୍ଠୀ । ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଥାନାରେ ଏତଲା ଦେବା ପରେ, ପାରାଦୀପ ବିଜେଡିର ଗୋଷ୍ଠୀ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିଛି । ପାରାଦୀପ ପୌରାଧ୍ୟକ୍ଷଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ସମର୍ଥକ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ଅପରଗୋଷ୍ଠୀ ପାଲଟା ଅଭିଯୋଗ ଆଣି ଏତଲା ଦେଇଛନ୍ତି । ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିବା ସହ ସମ୍ବିତଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । 
 
ପାରାଦୀପ ବିଜେଡିରେ ସୃଷ୍ଟି ହୋଇଥିବା ଏହି ଗୋଷ୍ଠୀ କନ୍ଦଳ ନୂଆ ନୁହେଁ । କିନ୍ତୁ ଦଳର ମୁଖିଆ ଯେତେବେଳେ ଘର ସଜାଡିବାକୁ ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି, ସେତିକିବେଳେ ପାରାଦୀପ ବିଜେଡିର ଏହି ଗୋଷ୍ଠୀ କନ୍ଦଳ ରାଜନୀତିକୁ ସରଗରମ କରିଛି । ତେବେ ପାରାଦୀପ ବିଜେଡିର ଏହି ଗୋଷ୍ଠୀ କନ୍ଦଳ କେଉଁଠି ଅଟକୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।