କନକ ବ୍ୟୁରୋ : ବିଜେଡି ବିଧାୟକ ସନାତନ ମହାକୁଡକୁ ଅଚାନକ ଏମିତି ତାଗିଦ କରିବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ନବୀନ କାହିଁକି ସନାଙ୍କୁ ଏଭଳି ପ୍ରଶ୍ନ କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, ଗତକାଲି ବିଜେଡି ବିଧାୟକ ଦଳ ବୈଠକକୁ ଆସିନଥିଲେ ଚମ୍ପୁଆର ଏହି ପ୍ରଭାବଶାଳୀ ବିଧାୟକ । ଆଉ ଆଜି ଯେତେବେଳେ ବିଧାନସଭା ପ୍ରବେଶ ଦ୍ବାରରେ ନବୀନଙ୍କୁ ସ୍ବାଗତ କରିବା ପାଇଁ ବିଧାୟକଙ୍କ ସହ ସନା ମହାକୁଡ ଅପେକ୍ଷା କରିଥିଲେ ସେତେବେଳେ ରାଗି ଯାଇଥିଲେ ସୁପ୍ରିମୋ । ସନାତନଙ୍କୁ ଦେଖିବା ପରେ ବିଜେଡି ସୁପ୍ରିମୋ ପଚାରିଥିଲେ, ଆପଣ କାହିଁକି କାଲି ବୈଠକକୁ ଆସିନଥିଲେ? ଜବାବରେ ସନତାନ କହିଥିଲେ, ଦେହ ଖରାପ ହୋଇଯାଇଥିଲା । ତେଣୁ ବୈଠକକୁ ଯାଇନଥିଲେ । ବିଧାନସଭାର ଭିଡିଓ ସାମ୍ନାକୁ ଆସିବା ପରେ ଖୋଦ୍ ସନାତନ ମହାକୁଡ ସଫେଇ ରଖିଛନ୍ତି ।
ବିଜେପିର ନିକଟତର ହେଉଛନ୍ତି କି ସନାତନ?
ଡିସେମ୍ବର ୧୯ତାରିଖରେ କେନ୍ଦୁଝର ଚମ୍ପୁଆ ମହତାବ ହାଇସ୍କୁଲ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ସନାତନ ମହାକୁଡଙ୍କ ମୁହଁରେ କେକ ବୋଳୁଥିବାର ଚିତ୍ର ସାମ୍ନାକୁ ଆସିଛି । ଏହା ରାଜନୈତିକ ଉଷ୍ମତାକୁ ବଢାଇଦେଇଛି । ଏହାପରେ ପାୱାର କରିଡରରେ ଚର୍ଚ୍ଚା ହେଉଛି ସନାତନ ମହାକୁଡ ବିଜେପିର ନିକଟତର ହେଉଛନ୍ତି । କିନ୍ତୁ ସନା ମହାକୁଡ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, କେବଳ ମୁଁ ନୁହେଁ ଅନ୍ୟ ବିଜେଡି ବିଧାୟକମାନେ ମଧ୍ୟ ମୋହନଙ୍କୁ ଭେଟିଛନ୍ତି । ବିଜେଡି କହିଛି, ଘଟଣାକୁ ରାଜନୈତିକ ରୂପ ଦିଆଯାଉଛି ।
କେନ୍ଦୁଝରରେ ଜଣେ ଟାଣୁଆ ନେତା ହେଉଛନ୍ତି ସନାତନ ମହାକୁଡ । ତେଣୁ ସନାଙ୍କ ବୟାନ ବର୍ତ୍ତମାନ ପାଇଁ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ବି ପରଦା ପଛରେ କଣ ଚାଲିଛି ତା ଉପରେ ସମସ୍ତଙ୍କ ନଜର ରହିଛି ।