କନକ ବ୍ୟୁରୋ : ରାଜ୍ୟରେ ବିଧାୟକଙ୍କ ଦରମା ଅହେତୁକ ଭାବେ ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେଉଥିବା ବେଳେ କେବଳ ସିପିଆଇ(ଏମ) ର ଏକମାତ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ବିରୋଧ କରିଥିଲେ । ବାକି ୧୪୬ ବିଧାୟକ ମନଖୁସିରେ ଏକାଠି ବିଲକୁ ସମର୍ଥନ କରିଥିଲେ । ଏବେ ଜନସାଧାରଣ ଏହାକୁ ନେଇ ବିରୋଧ କରିବା ପରେ ନିଜର ଆଭିମୁଖ୍ୟ ବଦଳାଇଛି ବିଜେଡି । ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଲ୍ ପାରିତ ପରେ ପ୍ରବଳ ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଆଭିମୁଖ୍ୟ ବଦଳାଇଛି ବିଜେଡି। ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ଭତ୍ତା ଓ ପେନସନ ବିଲର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି ବିଜେଡି । ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏହାର ପୁନଃବିଚାର କରିବାକୁ ଦାବି କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଗତ ୯ ତାରିଖରେ ବିଧାନସଭାରେ ବିଧାୟକ ମାନଙ୍କ ଦରମା ଓ ପେନସନକୁ ନେଇ ବିଲ୍ ପାରିତ ହୋଇଥିଲା । କିନ୍ତୁ ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସହ ଖୁବ୍ ବିରୋଧ କରିଥିଲେ ଜନସାଧାରଣ। ତେଣୁ ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି । ସବୁ ଦରମାକୁ ସାଧାରଣ ଲୋକଙ୍କ କାମରେ ଲଗାଇ ଆସିଛନ୍ତି। ସେଥିପାଇଁ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଲର ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି ।
ଅଧିକ ପଢ଼ନ୍ତୁ : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ଦାବି କଲେ ବିଜେପି ବିଧାୟକ
ସୂଚନା ଥାଉ କି, ଯେତେବେଳେ ଗାନ୍ଧୀମାର୍ଗରେ ହଜାର ହଜାର ଶିକ୍ଷକ, ଅଙ୍ଗନବାଡ଼ୀ କର୍ମୀ, ମେଡିକାଲର ଆଶା କର୍ମୀ, ସ୍କୁଲର ରୋଷେୟା ଓ ସହାୟିକାମାନେ ଦରମା ବୃଦ୍ଧି କରିବାକୁ ଶୀତ କାକରରେ ପଡ଼ି ଆନ୍ଦୋଳନ ଚଳାଇଥିଲେ, ଠିକ୍ ସେତେବେଳେ ବିଧାନସଭାରେ ୧୪୬ ବିଧାୟକ ନିଜର ଦରମା ବୃଦ୍ଧି ପ୍ରସଙ୍ଗରେ ଏକାଠି ହୋଇ ତିନିଗୁଣା ଦରମା ବୃଦ୍ଧି କରିନେଇଥିଲେ । ଏହାପରେ ଏହାକୁ ନେଇ ଜନସାଧାରଣ ସମାଲୋଚନା କରିବା ଆରମ୍ଭ କରିଥିଲେ । ଏସବୁ ଭିତରେ ଆଜି ବିଜେଡି ଏହି ପ୍ରସଙ୍ଗରେ ୟୁ ଟର୍ନ ମାରିଛି । ବାକି ରହିଲା କଂଗ୍ରେସ ଓ ବିଜେପି ବିଧାୟକମାନେ କେବେ ୟୁଟର୍ନ ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
Follow Us