କନକ ବ୍ୟୁରୋ: ଝାଡଖଣ୍ଡ ନିର୍ବାଚନ ଫଳାଫଳ ଆସିଲା ପରେ ହଠାତ୍ ବିଜେଡି ଶିବିରରେ ଖୁସିର ମାହଲ ଖେଳିଗଲା । କାରଣ ଥିଲା ଜାତୀୟ ଦଳ ଉପରେ ଆଞ୍ଚଳିକ ଦଳ ଭାରି ପଡିଛି । ଏମିତି କି କଳ ବଳ କୌଶଳ ପ୍ରୟୋଗ ପରେ ମଧ୍ୟ ବିଜେପି ସେଠାରେ ସରକାରରୁ ବହୁ ଦୁରରେ ରହିଗଲା । ଏହି ଖବର ଆସିଲା ପରେ ନିକଟରେ ନିର୍ବାଚନରେ ହାରିଥିବା ବିଜେଡିକୁ ଯେମିତି ବଳ ମିଳି ଯାଇଛି । ଏମିତି କି ଝାଡ଼ଖଣ୍ଡରେ ଜେଏମଏମର ବିଜୟ ପରେ ପ୍ରେସ ରିଲିଜ୍ ଜାରି କରି, ପୂର୍ବ ଭାରତରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି ବୋଲି କହିଛନ୍ତି । ବିଶେଷ କରି  ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ପରି ରାଜ୍ୟରେ  ଆଞ୍ଚଳିକ ଦଳର ପ୍ରଭାବ ରହିଛି ବୋଲି କହିଛନ୍ତି । ଖାଲି ଏତିକି ନୁହେଁ ଏହା ଓଡିଶାରେ ୨୦୨୯ରେ ବିଜେଡିକୁ କ୍ଷମତାକୁ ଫେରାଇବାର ସଙ୍କେତ ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ।
 
ଉଭୟ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଆଞ୍ଚଳିକ ଦଳ କାନ୍ଧରେ ଲାଉ ହୋଇ ସରକାର ଗଠନ କରିବାକୁ ଯାଉଛନ୍ତି ଜାତୀୟ ଦଳ । ଯାହାକୁ ନେଇ ବିଜେଡି ଶିବିର ଉତ୍ସାହିତ ହୋଇପଡିଛି । ତେବେ ବିଜେଡିର ଏଭଳି ଉତ୍ସାହକୁ ଗ୍ରହଣ କରିପାରିନାହାନ୍ତି ବରିଷ୍ଠ ନେତା ଅମର ଶତପଥି । କହିଛନ୍ତି, ଯଦି ପଂଚିମବଙ୍ଗ ଓ ଝାଡଖଣ୍ଡରେ ଉଭୟ ଆଞ୍ଚଳିକ ଦଳ ନିଜ ଗଡ ରଖି ପାରିଲେ । ତାହେଲେ ବିଜେଡି କାହିଁକି  ଓଡ଼ିଶାରେ ନିଜ ଗଡ଼ ରଖି ପାରିଲା ନାହିଁ ? ବୋଲି ପାଲଟା ପ୍ରଶ୍ନ କରିଛନ୍ତି । 
 
ବର୍ତ୍ତମାନ ସମୟରେ ବିଜେଡି-ବିଜେପି ତିକ୍ତତା ବଢିବାରେ ଲାଗିଥିବା ବେଳେ ବିଜେପି ପରାଜୟରେ ଶଙ୍ଖ ଶିବିର ଖୁସି ହେବା ଖବର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ଇଣ୍ଡି ମେଂଟ ଆଡକୁ ଢଳୁଥିବା ଆଲୋଚନାକୁ ଖୋରାକ ଯୋଗାଇଛି?