କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବା ପରେ କନକ ନ୍ୟୁଜରେ ବଡ଼ ବୟାନ ରଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । କହିଛନ୍ତି, ଦଳର ସୁପ୍ରିମୋ ଭରସା କରି ଦାୟିତ୍ବ ଦେଇଛନ୍ତି । ଏହି ଦାୟିତ୍ବକୁ ତୁଲାଇବା ସହ ନୂଆପଡ଼ାର ସେବା କରିବି । ନୂଆପଡ଼ା ମୋ ପାଇଁ ନୂଆ ନୁହେଁ , ନୂଆପଡ଼ା ମୋ ମାମୁଘର । ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆପଡ଼ାର ବିକାଶ ହୋଇଛି । ବିକାଶକୁ ମୁଦ୍ଦା କରି ଆମେ ମୈଦାନକୁ ଓହ୍ଲାଇବୁ । ଗତ ୧୬ ମାସରେ ବିଜେପି ନୂଆପଡ଼ାରେ ମାଟି ମୁଠାଏ ପକାଇ ନାହିଁ । ଲୋକେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି । ନୂଆପଡ଼ାର ଫଳାଫଳରେ ଏହା ପ୍ରତିପାଦିତ ହେବ । ନୂଆପଡ଼ାରେ ବିଜେଡି ସଙ୍ଗଠନ ଦୃଢ ରହିଛି । ଏଠାରେ ଧର୍ମ ଓ ନ୍ୟାୟର ବିଜୟ ହେବ ।
ସ୍ଥାନୀୟ ନେତାମାନଙ୍କୁ ପଛରେ ପକାଇ ବରଗଡ଼ ଜିଲ୍ଲାର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ପାଖାପାଖି ୨୯ ହଜାର ଭୋଟରେ ହାରିଯାଇଥିଲେ । ନିକଟରେ ତାଙ୍କୁ ବିଜେଡିର ମହିଳା ଶାଖା ସଭାନେତ୍ରୀ କରାଯାଇଛି । କିନ୍ତୁ ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କେଉଁ ପରିସ୍ଥିତିରେ ଦଳ ଏପରି ନିଷ୍ପତ୍ତି ନେଲା, ତାହା ବେଶ୍ ରହସ୍ୟଜନକ ହୋଇପଡ଼ିଛି । ବିଜେଡିର ଆଗଧାଡ଼ିର ନେତାମାନେ ମଧ୍ୟ ଏହାର ଟେର୍ ପାଉନାହାନ୍ତି ।