କନକ ବ୍ୟୁରୋ : ନବୀନଙ୍କ ଗସ୍ତ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି କହିଲା ବିଜେଡି । ପଥର ମାଡ଼ ଓ ହିଂସା କାଣ୍ଡ ଭଳି ଘଟଣା ଘଟିପାରେ , ତେଣୁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କଲା ବିଜେଡି । ଆସନ୍ତା କାଲି ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ଏନଏସି ର ୬ ଟି ସ୍ଥାନରେ ରୋଡ଼ ସୋ' ସହିତ ଗୋଟିଏ ଜନସଭା ମଧ୍ୟ କରିବେ ନବୀନ ।

Advertisment

ସେପଟେ ନୂଆପଡ଼ା ଦଖଲ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି । ପ୍ରଚାର ମଇଦାନ ସରଗରମ ରହିଛି । ଭୋଟ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ସରଗରମ ହେଉଛି । ଦଳୀୟ କର୍ମୀ ଓ ନେତାଙ୍କ ପରେ ଏବେ ଭୋଟରଙ୍କୁ ମନାଇବାକୁ ପ୍ରଚାର ମଇଦାନକୁ ଆଜିଠୁ ଓହ୍ଲାଉଛନ୍ତି ହେଭିୱେଟ ନେତା । 

ଅଧିକ ପଢ଼ନ୍ତୁ--ନବୀନଙ୍କ ସ୍କ୍ରିପ୍ଟ୍‌ କିଏ ଲେଖିଥିଲେ ? କୋମନା ଜନସଭା ମଞ୍ଚରୁ ଏପରି କହି ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ପୂର୍ବରୁ ମଧ୍ୟ  ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ନବୀନ ପଟ୍ଟନାୟକ ତରବୋଡ଼ ସମ୍ଭବ ନିକଟସ୍ଥ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଜୟ ମା’ ମାଣିକେଶ୍ୱରୀ ସମ୍ବୋଧନ ସହ ନବୀନ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ, ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ। ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ୍‌ ୱେ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା।  ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିସନ୍‌ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା । ‌

ଖାଲି ସେତିକି ନୁହେଁ , ସେ ବିଜେପିକୁ ସମାଲୋଚନା କରି ସେ କହିଲେ, ସେମାନେ ଆଗରୁ ଭୋଟ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ବିଜେପି ସରକାର ମିଛ ପ୍ରଚାରରେ ହିରୋ, କାମରେ ଜିରୋ । ଏ ସରକାର ‘ଗେମ୍ ଚେଞ୍ଜର’ ନୁହେଁ  ‘ନେମ୍‌ ଚେଞ୍ଜର’ ସରକାର, ରଙ୍ଗମରା ସରକାର ।  ବିଜେପି ସରକାର ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ୩ ଶହ ୟୁନିଟ୍‌ ବିଜୁଳି ମାଗଣାରେ ଦିଆଯିବ ବୋଲି କହିଥିଲା।  ବର୍ତ୍ତମାନ ଓଡ଼ିଶାବାସୀ ଏହାର ଜବାବ ମାଗୁଛନ୍ତି । ସେହିପରି ସବୁ ବରିଷ୍ଠ ନାଗରିକଙ୍କୁ ୩,୫୦୦ ଟଙ୍କାର ପେନ୍‌ସନ୍‌, କଟ୍‌ନିଛଟ୍‌ନି ବନ୍ଦ ହେବ ପ୍ରତିଶ୍ରୁତି ପାଳନ କରି ନାହାନ୍ତି । ବିଏସ୍‌କେୱାଇ କାର୍ଡକୁ ବନ୍ଦକରି ଆୟୁଷ୍ମାନ ଆରମ୍ଭ କରିଛନ୍ତି । ଫଳରେ ଓଡ଼ିଶାର ବହୁ ରୋଗୀ ଚିକିତ୍ସା ସୁବିଧା ପାଇପାରୁ ନାହାନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି , ମହିଳାମାନେ ସୁରକ୍ଷିତ ନାହାନ୍ତି ।