କନକ ବ୍ୟୁରୋ: ଏଫ୍ ଏମ୍ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ତାତିଲେ ବିରୋଧୀ । ରାଜଧାନୀରେ ଉଭୟ ବିଜେଡି ଓ କଂଗ୍ରେସ ବିକ୍ଷୋଭ କରିଛନ୍ତି । ଭୁବନେଶ୍ବର ଲୋୟର ପିଏମ୍ଜିରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ରାଜ୍ୟରେ ଛାତ୍ରୀ ଓ ମହିଳାଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି । ସେପଟେ ବିକ୍ଷୋଭ ସ୍ଥଳରୁ ବିଜେଡି ନେତା ଦେବୀ ତ୍ରିପାଠୀ ଓ ବ୍ୟୋମକେଶ ରାୟଙ୍କୁ ଉଠାଇ ନେଇଛି ପୁଲିସ ।
ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି । ଚିକିତ୍ସା ବ୍ୟବସ୍ଥାର ମନିଟରିଂ ପାଇଁ ଗଠନ ହୋଇଥିବା ୮ ଜଣିଆ ବିଶେଷଜ୍ଞ ଟିମ୍ ସହ ବି କଥାବାର୍ତ୍ତା ହୋଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ଏମ୍ସ ଯାଇଛନ୍ତି । ଏହାପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଏମ୍ସ ଯାଇ ପୀଡ଼ିତାଙ୍କ ବାପାଙ୍କ ସହ ଆଲୋଚନା କରିଥିଲେ ।