କନକ ବ୍ୟୁରୋ: କଳିଙ୍ଗ ପୁରସ୍କାରକୁ ନେଇ ବିଜେଡି-ବିଜେପି କଥା କଟାକଟି । ବୁଧବାର ବିଧାନସଭାର ଶୂନ୍ୟକାଳରେ କଳିଙ୍ଗ ପୁରସ୍କାରକୁ ନେଇ ମୁହାଁମୁହିଁ ହେଇଛନ୍ତି ଶାସକ ବିଜେପି ଓ ବିରୋଧୀ ବିଜେଡି । 

ବିଜେଡି ବିଧାୟକ କଳିକେଶ ସିଂ ଦେଓ ଓ ଗୌତମ ବୁଦ୍ଧ ଦାସ ଏନେଇ ଗୃହରେ ଉଦବେଗ ପ୍ରକାସ କରିବା ସହ କହିଛନ୍ତି ଯେ, ୧୯୫୨ ମସିହାରେ କଳିଙ୍ଗ ପୁରସ୍କାର ଆରମ୍ଭ ହୋଇଥିଲା । ଯୁନେସ୍କୋ ଏହାକୁ ପ୍ରଦାନ କରୁଥିଲା । ବିଜୁ ବାବୁ ଏହାକୁ କଳିଙ୍ଗ ଫାଉଣ୍ଡେସନ ଗଠନ କରି ପୁରସ୍କାର ଆରମ୍ଭ କରିଥିଲେ । ୭ ଜଣ ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷ ବି କଳିଙ୍ଗ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କିନ୍ତୁ ଏଭଳି ଏକ ସମ୍ମାନଜନକ ପୁରସ୍କାରକୁ କେନ୍ଦ୍ର ସରକାର ଅର୍ଥ ସହାୟତା ପ୍ରଦାନ ନ କରିବାରୁ ବନ୍ଦ ହୋଇଯାଇଛି। କେନ୍ଦ୍ର ସରକାର ଏବେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଦେଉଛନ୍ତି । ହେଲେ କାହିଁକି ଜାତୀୟ ପୁରସ୍କାର ପାଇଁ ଏକ ଆନ୍ତର୍ଜାତୀୟ ପୁରସ୍କାରକୁ ବନ୍ଦ କଲେ ବୋଲି କହିଛନ୍ତି ଦୁଇ ବିଜେଡି ବିଧାୟକ । 

ଖାଲି ସେତିକି ନୁହେଁ, ବିଜେଡି ବିଧାୟକଙ୍କ କହିବା କଥା, ଏ କେବଳ ଓଡ଼ିଶା ପାଇଁ ନୁହେଁ ପୁରା ଭାରତର ସମ୍ମାନର କଥା । ଏହି ପୁରସ୍କାର ଚାଲୁ ରଖିବା ପାଇଁ ଉଦ୍ୟମ କରାଯାଉ । ପୁରସ୍କାର କେମିତି ପୁନଃ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଗୃହ ସର୍ବସମ୍ମତି ପ୍ରସ୍ତାବ ପାରିତ କରାଯାଉ । ଯଦି କେନ୍ଦ୍ର ସରକାର କରୁନାହାନ୍ତି ରାଜ୍ୟ ସରକାର ୪୦ ହଜାର ଡଲାର ଦେଇ ଏହାକୁ କାର୍ଯ୍ୟକାରୀ କରନ୍ତୁ ବୋଲି ସେ କହିଛନ୍ତି । ଏନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପୁନଃ କଳିଙ୍ଗ ପୁରସ୍କାର ଆରମ୍ଭ କରିବା ପାଇଁ ନିବେଦନ କରିଥିଲେ । ହେଲେ ଆଜି ଯାଏଁ କୌଣସି ଉତ୍ତର ଆସି ନାହିଁ । ଆମେ ଓଡ଼ିଆ ଅସ୍ମିତା କଥା କହୁଛି, ସମସ୍ତେ ବି ଓଡ଼ିଆ ଅସ୍ମିତାକୁ ଜୀବିତ ରଖିବା ପାଇଁ ଉଦ୍ୟମ କରୁଛେ ତେଣୁ ସରକାର ଏ ଦିଗରେ କର୍ଣ୍ଣ ପାତ କରନ୍ତୁ ବୋଲି ସେ କହିଛନ୍ତି । 

ସେପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଜେଡି ବିଧାୟକଙ୍କୁ କାଉଣ୍ଟର କରି କହିଛନ୍ତି,  ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକ ନିଜ ପୁରସ୍କାର କଥା ଚିନ୍ତା କରନ୍ତୁ । ୨୦୧୭ରୁ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆ ଯାଇନାହିଁ । ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦୁଇ ବର୍ଷ ହେଲାଣି ଦିଆ ଯାଇନାହିଁ । ଫିଲ୍ମ ଆୱାର୍ଡ, ଫକୀର ମୋହନ ଆୱାର୍ଡ଼, ମନୋଜ ଦାସ ଆୱାର୍ଡ ବି ବନ୍ଦ ଅଛି । ଏହା କଣ ଓଡ଼ିଆ ଅସ୍ମିତା ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।