କନକ ବ୍ୟୁରୋ : ୪ ଦିନ ତଳେ ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ୧୭୬ କିଲୋମିଟର ଟେଣ୍ଡର ଆହ୍ୱାନ ହୋଇଥିଲା, ତାହା ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି । ବର୍ତ୍ତମାନ ଉପକୂଳ ରାଜପଥକୁ ୪ ଲେନ୍ ବିଶିଷ୍ଟ ନ କରି ଦୁଇ ଲେନ ବିଶିଷ୍ଟ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ କରିଛି ବିଜେଡି । ଉପକୂଳ ରାଜପଥ ଟେଣ୍ଡର ବାତିଲ ହେବା ଓଡିଶାବାସୀଙ୍କୁ ଡବଲ ଇଞ୍ଜିନ ସରକାରର ଡବଲ ଧୋକା କହିଲେ ଅତ୍ୟୁକ୍ତି ହେବ ନାହିଁ । ଦ୍ୱିତୀୟ ପର୍ଯ୍ୟାୟ ବି ଅନିଶ୍ଚିତତା ଘେରକୁ ଚାଲି ଯାଇଛି । ଜଗନ୍ନାଥ ସଡ଼କକୁ ନେଇ ବର୍ତ୍ତମାନ ବି ଓଡିଶାବାସୀ ଅନ୍ଧକାର ଭିତରେ ରହିଛନ୍ତି । ଯଦି ଉପକୂଳ ରାଜପଥ ପ୍ରକଳ୍ପକୁ ଚାରି ଲେନ ପରିବର୍ତ୍ତେ ଦୁଇ ଲେନ ପାଇଁ ଯୋଜନା ପୁଣି ଥରେ କରାଯିବ ତାହା ଆହୁରି ଗୋଟିଏ ଦଶନ୍ଧି ବିତିଯିବ ପଛେ କାମ ହୋଇ ପାରିବ ନାହିଁ । ବିଜେଡିର ଦାବି ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ତୁରନ୍ତ ବିଧିବଦ୍ଧ ନିଷ୍ପତ୍ତି ନିଅନ୍ତୁ କେନ୍ଦ୍ର ସରକାର । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏଇ ପ୍ରସଙ୍ଗକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ରଖନ୍ତୁ ଉପକୂଳ ରାଜପଥ ଦୁଇ ଲେନ ନୁହେଁ ଚାରି ଲେନ ବିଶିଷ୍ଟ କରାଯାଉ ବୋଲି ବିଜେଡ଼ି ଦାବି କରିଛି ।