କନକ ବ୍ୟୁରୋ: BJB କଲେଜ୍ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଠନ ହୋଇଥିବା ଆଲୁମିନା ଆସୋସିଏସନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ହୋଇଛି । ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ ଏହି ମିଳନ ପର୍ବରେ ୨ ଶହରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ସ୍ମୃତି ସାଉଁଟିଛନ୍ତି ।
ଏହି ଅବସରରେ ସମସ୍ତେ ନିଜ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ ପୁନଃ ସ୍ମରଣ କରିଥିଲେ । ତା ସହିତ ନାଚଗୀତ ଓ ଭୋଜିଭାତର ମଜା ନେଇଥିଲେ । ଆଜିର ଦିନ ଆଲୁମିନାର ସମସ୍ତ ସଦସ୍ୟଙ୍କ ପାଇଁ ଏକ ସୁବର୍ଣ୍ଣ ଦିନ ଥିଲା । ଏହି ଅବସରରେ ସବୁଜ ପରିବେଶ ଲକ୍ଷ୍ୟରେ 'ବୃକ୍ଷ ବନ୍ଧୁ' କାର୍ଯ୍ୟକ୍ରମ ଜରିଆରେ ଆଲୁମିନାର ଶତାଧିକ ସଦସ୍ୟ ମାନଙ୍କୁ ଉପସ୍ଥିତ ଅତିଥିମାନେ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରାଯାଇଥିଲା ।
ଆଗାମୀ ଦିନରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସ୍ୱେଚ୍ଛାକୃତ ଭାବେ ଦକ୍ଷ କରିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନେଇଛି । ଆୟୋଜିତ ଏହାର ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେବି କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ନଳୀନ କୁମାର ପାତ୍ର ଯୋଗ ଦେଇଥିଲେ । ଉପଦେଷ୍ଟା ସ୍ୱୟଂ ପ୍ରକାଶ ମହାପାତ୍ର, ସଭାପତି ଦିଲ୍ଲୀପ କୁମାର ରାଉତ, ସାଧାରଣ ସମ୍ପାଦକ ଲିପୁନ କୁମାର ପରିଡ଼ାଙ୍କ ସମେତ ଆଲୁମିନା ଆସୋସିଏସନର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ, ବୈଠକକୁ ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡା ପରିଚାଳନା କରିଥିଲେ ।