କନକ ବ୍ୟୁରୋ: ଗୋଟିଏ ପଞ୍ଚାୟତର ପ୍ରାୟ ୪୦୦ ରୁ ଅଧିକ ଚାଷି କରୁଛନ୍ତି କଲରା ଚାଷ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କଲରା ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର ଚାଷି । ଅମଳ ହେଉଥିବା କଲରାର ରହିଛି ବଜାରରେ ବିଶେଷ ଚାହିଦା।

Advertisment

ଏକର ଏକର ଜମିରେ ଭାଡ଼ି ଭାଙ୍ଗୁଛି କଲରା । କିଏ ଜମିରେ ମାଟି ହାଣୁଛି ତ ପୁଣି କିଏ କଲରା ତୋଳିବାରେ ବ୍ୟସ୍ତ ଅଛନ୍ତି । ଚାଷୀ ପରିବାରର ପ୍ରାୟ ସମସ୍ତ ପୁରୁଷ ଓ ମହିଳା ଏହି କାମରେ ଲାଗିଛନ୍ତି । ପରିଶ୍ରମ ଅନୁସାରେ ଫଳ ବି ଆସିଛି ।  ଆଉ ସେହି ପରିଶ୍ରମର ଫଳ ତୋଳି ବେଶ ଖୁସିବ୍ୟକ୍ତ କରିଛନ୍ତି ଚାଷୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସୁନିତି ପଂଚାୟତରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଚାଷୀ କଲରା ଚାଷ କରୁଛନ୍ତି । ଭଲ ଦୁଇପଇସା ମିଳୁଥିବାରୁ ଏହି ଚାଷ ଆପଣାଇଛନ୍ତି । ଏହି ଅଂଚଳରେ ମାଟି ଲୁଣି ରହୁଥିବାରୁ କଲରା ଫସଲ ବହୁତ ଭଲ ହେଉଛି । ସିଜିନ୍ ଅନୁସାରେ କଲରା ଦାମ ମଧ୍ୟ ଅଧିକ ରହୁଛି । ବର୍ତମାନ କେଜି ପିଛା ୪୦ ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ। ଅମଳ କଲରାକୁ କେନ୍ଦ୍ରାପଡା ଜିଲ୍ଲା ସହିତ କଟକ, ଜଗତସିଂହପୁର ଇତ୍ୟାଦି ବାହାର ଜିଲ୍ଲାକୁ ପଠାଯାଉଛି । ଅନେକ ସମୟରେ ବ୍ୟବସାୟୀ ମାନେ ଚାଷ ଜମିକୁ ଆସି କଲରା କିଣିନିଅନ୍ତି । 

କଲରା ପ୍ରାୟ ୩ ମାସରେ ଅମଳ ହୋଇଥାଏ । ୧ ଏକର ଜମିରୁ ପାଖାପାଖି ୨୫ରୁ ୩୦ କ୍ବିଂଟାଲ କଲରା ତୋଳା ହୁଏ । ସୁନିତି ପଂଚାୟତର କଣ୍ଟିଲୋ, ସୁନିତି, ଓଲ୍ଡଫିଲ୍ଡ ଭଳି ଗାଁରେ ଏହି ଚାଷ କରାଯାଉଛି । ବର୍ଷକୁ ୨ ଥର ଚାଷ କରୁଛନ୍ତି ଚାଷୀ । ପଂଚାୟତରେ ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ ଜମିରେ କଲରା ଚାଷ ହୋଇଛି। ପାରିଜାତ, ପୁଜା ଭଳି ଅନେକ ଉନ୍ନତ କିଶମର କଲରା ମଞ୍ଜି ଲାଗାଇ ଭଲ ଅମଳ କରୁଛନ୍ତି ଚାଷୀ । ରାସାୟନିକ ସାର ଔଷଧ ବଦଳରେ ଭର୍ମି କମ୍ପୋଷ୍ଟ ଓ ଜୀବାମୃତ ଦେଇ ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ କଲରା ଚାଷ କରୁଛନ୍ତି। ଗୋ-ମୁତ୍ର, ଗୁଡ, ଗୋବର, ଉଈମାଟିକୁ ମିଶ୍ରଣ କରାଯାଇ ପ୍ରାକୃତିକ ପଦ୍ଧତିରେ ଜୀବାମୃତ ଘୋଳ ତିଆରି କରାଯାଉଛି । 

କଲରା ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ସୁନିତି ଗ୍ରାମ ପଂଚାୟତର ୪୦୦ରୁ  ଉର୍ଦ୍ଧ ଚାଷୀ। ଜଳସେଚନର ସୁବିଧା ମିଳିଲେ ଚାଷୀ ମାନେ ଭଲ ଉତ୍ପାଦନ କରନ୍ତେ ବୋଲି କହିଛନ୍ତି ।