କନକବ୍ୟୁରୋ : ଯଦି ତୁମେ ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଛ... ତେବେ ପ୍ରଥମେ ସୂର୍ଯ୍ୟଙ୍କ ଭଳି ଜଳିବାକୁ ଚେଷ୍ଟା କର... ଶିଖରରେ ପହଞ୍ଚିବାକୁ ହେଲେ ଶକ୍ତି ଦରକାର, ତାହା ପର୍ବତର ଶିଖର ହେଉ ବା ତୁମ ପେଶା....ଏହି କଥା ଥିଲା ଡକ୍ଟର ଏପିଜେ ଅବଦୁଲ କଲାମଙ୍କର । ସେ କେବଳ ଭାଷଣ ମାରନ୍ତିନି, ତାକୁ କାମରେ ବି କରି ଦେଖାନ୍ତି । ଦୁନିଆକୁ ଏହି ସବୁ କଥାର ଅର୍ଥ ବୁଝାନ୍ତି । ତାଙ୍କ ସରଳତା, ସଚ୍ଚୋଟତା ଆଉ କିଛି କରିବାର ଜୋଶ ତାଙ୍କୁ ସବୁବେଳେ ପାଗଳ କରିଥିଲା । ଆଉ ଏହି ସବୁ ଜୁନୁନ ତାଙ୍କୁ ଖବର କାଗଜ ହକରରୁ ମିସାଇଲ ମ୍ୟାନ ଆଉ ଦେଶର ରାଷ୍ଟ୍ରପତି କରିଥିଲା । ସତରେ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଜିତି ନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଦେଶ ନୁହେଁ ସାରା ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣ ପାଲଟିଥିଲେ । ସେ ହେଉଛନ୍ତି ଭାରତର ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ ।
କଲାମଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ । ପରିଶ୍ରମ ଆଉ ନିଜ ଦକ୍ଷତା ବଳରେ ସେ ଦେଶର ସର୍ବୋଚ୍ଚ ପଦରେ ବସିଥିଲେ । ସେ କେବେ ଥକିବା ଶିଖିନଥିଲେ, ସରଳତା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । କେବଳ ଗୋଟିଏ ଟ୍ରଙ୍କରେ ଥିଲା ତାଙ୍କ ଜୀବନ ସମସ୍ତ ସମ୍ପତ୍ତି । ସାରା ଜୀବନ ଦେଶ ସେବା, ଶିକ୍ଷା ଆଉ ପରୋଉପକାରରେ ସେ ବିତାଇଥିଲେ । କିଏ ତାଙ୍କୁ କେତେ ରୂପରେ ମନେ ରଖିଛି କିଏ ମିସାଇଲ ମ୍ୟାନ ଭାବେ ତ କିଏ, ଦେଶର ଭବିଷ୍ୟତକୁ ଶିକ୍ଷା ଦେଉଥିବା ଚାଚା କଲାମଙ୍କ ରୂପରେ ତ କିଏ ଦେଶର ରାଷ୍ଟ୍ରପତି ଭାବେ ।
ତାମିଲନାଡୁର ରାମେଶ୍ୱରମ୍ ଜିଲ୍ଲାର ଧନୁଷକୋଡି ଗାଁରେ କଲାମଙ୍କ ଜନ୍ମ । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ହେଉଛି ଅବୁଲ ପକିର ଜୈନାଲୁଦ୍ଦିନ ଅବଦୁଲ କଲାମ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ଚଳାଉଥିଲେ । ତେଣୁ ପରିବାର ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗା ଚଳାଇବା ସହ ଖବର କାଗଜ ବିକ୍ରି କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା । ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନୀରୁ ସ୍ପଷ୍ଟ ହୁଏ ।
ରାମେଶ୍ୱରମରେ ସ୍କୁଲ ପଢା ଶେଷ ହେବା ପରେ ତିରୁଚିରାପଲିର ସେଣ୍ଟ ଜୋସେଫ କଲେଜରେ ଉଚ୍ଚଶିକ୍ଷା କରିଥିଲେ । ଏହାପରେ ମାଡ୍ରାସର ଇନଷ୍ଟିଚ୍ୟୁଟ ଅଫ ଏରୋନେଟିକାଲ ଇଞ୍ଜିନିୟରିଂରେ ପଢିଥିଲେ । ପରେ ଡିଆରଡିଓରେ ସିନିୟର ସାଇଣ୍ଟଣ୍ଟିଫିକ ଆସିଷ୍ଟାଣ୍ଟ ଭାବେ ୧୯୮୫ରେ ଯୋଗ ଦେଇଥିଲେ । ଏହାପରେ ୧୯୬୯ରେ ଯୋଡି ହୋଇଥିଲେ ମହାକାଶ କେନ୍ଦ୍ର ଇସ୍ରୋ ସହ । ସେବେଠୁ ସେ ରଚି ଚାଲିଲେ ଗୋଟିଏ ପରେ ଗୋଟିଏ ମାଇଲ ଖଣ୍ଟ । ୧୯୯୮ ଐତିହାସିକ ପୋଖରାନ ଆଣବିକ ବୋମା ପରୀକ୍ଷଣର ସେ ଥିଲେ ମୁଖ୍ୟ ପୁରଧା । ତାଙ୍କ ତତ୍ୱବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶ ଯାନ ଏସଏଲଭି-୩ ସ୍ପେସ ଭେଇକିଲ୍ । ସେ ଦେଶକୁ ଭେଟି ଦେଇଥିଲେ ଅଗ୍ନି, ତ୍ରିଶୁଳ, ପୃଥ୍ୱୀ, ବ୍ରହ୍ମୋସ୍ତ୍ର ଭଳି କ୍ଷେପଣାସ୍ତ୍ର । ଏଥିପାଇଁ ତାଙ୍କୁ କୁହାଯାଏ ଭାରତର ମିସାଇଲ ମ୍ୟାନ ।
୨୦୦୨ରୁ ୨୦୦୭ ଯାଏଁ ସେ ଭାରତର ୧୧ ତମ ରାଷ୍ଟ୍ରପତି ହୋଇଥିଲେ । ସବୁଠୁ ବଡ କଥା ହେଲା କ୍ଷମତା କେବେ ବି ତାଙ୍କ ଜୀବନକୁ ପ୍ରଭାବିତ କରିପାରିନଥିଲା । କାର୍ଯ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସ ବ୍ୟତୀତ ଆଉ କିଛିନଥିଲା । ଯାହା ତାଙ୍କ ସରଳ ଜୀବନ ଯାପନର ପରିଚୟ ଦିଏ ।
ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ଓ ଅହୁରି ଅନେକ । ୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମ ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଲାମ । ଆଉ ସବୁ ଦିନ ପାଇଁ ନୀରବି ଯାଇଥିଲେ ମିସାଇଲ ମ୍ୟାନ । ଆଉ ଭାରତ ହରାଇଥିଲା ତାର ଗୋଟିଏ ଯୋଗ୍ୟ ସନ୍ତାନକୁ ।