କନକ ବ୍ୟୁରୋ : ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବାର୍ଷିକ ସାଂସ୍କୃତିକ ଉତ୍ସବ ସ୍ପେକ୍ଟ୍ରା-୨୦୨୫ ପ୍ରସିଦ୍ଧ ଗାୟକ ଅର୍ଜୁନ କାନୁନ୍ଗୋଙ୍କ ଦ୍ଵାରା ପରିବେଷିତ ମନୋରମ ସଂଗୀତ ସହିତ ଉଦ୍ଯାପିତ ହୋଇଯାଇଛି । ପ୍ରତିଭା, ସଂସ୍କୃତି ଓ ମନୋରଞ୍ଜନରେ ଭରପୁର ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ଏହି ଉତ୍ସବରେ ନୃତ୍ୟ, ସଂଗୀତ ଓ ଆକର୍ଷଣୀୟ କର୍ମଶାଳା ଆଦି ପ୍ରଦର୍ଶିତ ହୋଇଥିଲା । ଅର୍ଜୁନ କାନୁନ୍ ଏବଂ ଡିଜେ ପେରିସାଙ୍କ ପ୍ରଦର୍ଶନ ଏବଂ ଉପସ୍ଥିତି ସମସ୍ତଙ୍କୁ ମୋହିତ କରିଥିଲା ।
ସ୍ପେକ୍ଟ୍ରା –୨୦୨୫ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଏକ ଉତ୍ତମ ମାଧ୍ୟମ ଅଟେ । ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବାର୍ଷିକ କ୍ରୀଡା ଉତ୍ସବ “ ଆଟୋସ୍” ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କଲେଜଗୁଡିକ ମଧ୍ୟରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ବାସକେଟ୍ ବଲ୍, କ୍ରିକେଟ, ଫୁଟବଲ, ଭଲିବଲ ଏବଂ ବ୍ୟାଡ୍ମିଣ୍ଟନ ଆଦି ଖେଳରେ ଅଂଶଗ୍ରହଣ କରିବା ସହ ଅଂଶଗ୍ରହଣକାରୀମାନେ ଏହାର ଆନନ୍ଦ ଉଠାଇଥିଲେ । ଏହି କାର୍ୟ୍ୟକ୍ରମ କ୍ରୀଡା ଦକ୍ଷତାର ପ୍ରଦର୍ଶନ ସହ ସୁସ୍ଥ ପ୍ରତିଯୋଗିତାର ଭାବନାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା। ୟୋଲୋ ଫ୍ରି କାର୍ୟ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ଓ ଉଦ୍ୟୋଗୀ ମନୋଭାବର ପ୍ରରିପ୍ରକାଶ ପ୍ରତିଫଳିତ ହୋଇଥିଲା ।
ଏହି ତିନିଦିନିଆ କାର୍ଯ୍ୟକ୍ରମରେ ବିଜିୟୁ କୂଳପତି କୁଳଭୂଷଣ ବାଲୁନି ଏବଂ ରେଜିଷ୍ଟ୍ରାର ବି.କେ ଦାସ ବିଜେତା ଓ କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରିଥିଲେ । ଏଥୁରେ ଖୁସି ରିଅଲକନ, ଜାଭେରୀ, ଫ୍ରେଟ୍ବକ୍, ବେନ୍ କ୍ୟୁ ପ୍ରାୟୋଜକ ଭାବେ ଯୋଗଦାନ କରିଥିଲେ । ନନ୍ଦିଘୋଷ ଟିଭି, ନ୍ୟୁଜ୍-୭, ପ୍ରମେୟ ଏବଂ ସମ୍ବାଦ ଡିଜିଟାଲ ମିଡିଆ ଅଂଶୀଦାର ଭାବେ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ୟୁନିଭର୍ସିଟିର ସାଂସ୍କୃତିକ ପରିଷଦ ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲା ।