କନକ ବ୍ୟୁରୋ: ଗୋଟିଏ ପଟେ ରାଜଧାନୀରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଏବଂ ଅନ୍ୟପଟେ ବିହଙ୍ଗ ଉତ୍ସବ ପାଇଁ ଚିଲିକା ଚଳଚଞ୍ଚଳ। ପ୍ରବାସୀ ଯେମିତି ଅତିଥି ହୋଇ ଓଡ଼ିଶା ଆସିଛନ୍ତି, ଠିକ୍ ସେମିତି ପକ୍ଷୀ ମଧ୍ୟ ଅତିଥି ହୋଇ ଚିଲିକାରେ ଡେରା ପକାଇଛନ୍ତି। ଯାହା ଚିଲିକାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ଏସବୁ ଭିତରେ ଚିଲିକାର ପରିଚୟକୁ ଆହୁରି ସୁଦୂରପ୍ରସାରୀ କରିବାକୁ ପ୍ରବାସୀ ଭାରତୀୟଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଛି ପର୍ଯ୍ୟଟନ ବିଭାଗ।
- ପ୍ରବାସୀ ଦେଖିବେ ପ୍ରବାସୀ ପକ୍ଷୀ
- ସ୍ୱାଗତ ପାଇଁ ସଜେଇ ହେଇଛି ଚିଲିକା
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ପ୍ରବାସୀ ରାଜଧାନୀକୁ ଆସିବେ, ୩ ଦିନ ଓଡ଼ିଶାରେ ରହିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବେ। ଓଡ଼ିଶାକୁ ପ୍ରବାସୀ ଆସିବା ଆରମ୍ଭ କଲେଣି, ଏହା ମଧ୍ୟରେ ଚିଲିକାକୁ ମଧ୍ୟ ପ୍ରବାସୀ ପକ୍ଷୀଙ୍କର ଆଗମନ ହୋଇଛି। ତେଣୁ ପ୍ରବାସୀଙ୍କୁ ଚିଲିକାର ସୌନ୍ଦର୍ଯ୍ୟରେ ଅଭିଭୂତ କରିବାକୁ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ନିଜ ପ୍ରସ୍ତୁତି ଶେଷ କରିଛି। ଆରମ୍ଭ ହୋଇଛି ପଞ୍ଚମ ଚିଲିକା ବିହଙ୍ଗ ମହୋତ୍ସବ। ଜାନୁଆରୀ ୬ରୁ ୧୨ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ଚଳିତଥର ଅତିଥି ହୋଇ ଆସିଥିବା ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବସାଡର। ପ୍ରବାସୀଙ୍କ ମାଧ୍ୟମରେ ସାରା ବିଶ୍ବରେ ଚିଲିକାର ପ୍ରଚାର ପ୍ରସାର ପାଇଁ ପ୍ଲାନ କରିଛନ୍ତି ସରକାର।
ଚିଲିକାକୁ ବିଶ୍ବବ୍ୟାପୀ ପରିଚିତ କରିବା ପୂର୍ବରୁ ଏହାର ସୁରକ୍ଷାକୁ ନେଇ ସରକାର ନୀଳନକ୍ସା ପ୍ରସ୍ତୁତ କରିଛନ୍ତି। ମୋଟର ଚାଳିତ ବୋଟ ପାଇଁ ଚିଲିକାର ମୂଲ୍ୟବାନ ଫ୍ଲୋରୋଫୋନା ନଷ୍ଟ ହେଉଛି। ଜୈବ ବିବିଧତା ଉପରେ ଭୟଙ୍କର କୁ-ପ୍ରଭାବ ପଡୁଛି। ତେଣୁ ମୋଟର ଚାଳିତ ବୋଟ ବଦଳରେ ସୋଲାର ବୋଟ ଚଲାଇବାକୁ ଯୋଜନା କରୁଛନ୍ତି ସରକାର। ଏହାସହ ବାର୍ଡ ମ୍ୟୁଜିୟମ ପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ଯ୍ୟଟନ ବିଭାଗ ମିଶି ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି।
ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ, ଏହି ୩ ମାସରେ ପ୍ରାୟ ଦଶ ଲକ୍ଷରୁ ଅଧିକ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି। ତେଣୁ ଏହି ସମୟରେ ଚିଲିକାର ସୌନ୍ଦର୍ଯ୍ୟ, ପକ୍ଷୀଙ୍କ କଳରାବ ପ୍ରବାସୀଙ୍କୁ ବେଶ ଆକର୍ଷିତ କରିବା ନେଇ ଆଶାବାଦୀ ପର୍ଯ୍ୟଟନ ବିଭାଗ।