କନକ ବ୍ୟୁରୋ : ମଣିଷ ଦେହରେ ବାର୍ଡ ଫ୍ଲୁ ଆଶଙ୍କା । ପୁରୀ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷଣ ପାଇ ଭୋପାଳ ପଠାଯାଇଛି । ଖୁବ୍ ଶୀଘ୍ର ସଂପୃକ୍ତ ବ୍ୟକ୍ତି ରିପୋର୍ଟ ଆସିବ । ରିପୋର୍ଟ ଯାଇଥିବା ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହେଉଥିଲା । ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ବ୍ୟାପୁଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସଂକ୍ରମଣ ବ୍ୟାପୁଥିବା ଅଂଚଳର ଗୋଟିଏ କିଲୋମିଟରରୁ ୧୦ କିଲୋମିଟର ଭିତରେ ସର୍ଭେଲାନ୍ସ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଘରକୁ ଘର ବୁଲି ଆଶାକର୍ମୀ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି । ଏଥିପାଇଁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସଂକ୍ରମଣ ବ୍ୟାପୁଥିବା ଅଂଚଳରେ ଏନ୍-୯୫ ମାସ୍କ ବଣ୍ଟାଯାଉଛି ।

ମଣିଷକୁ ବାର୍ଡ ଫ୍ଲୁର ଲକ୍ଷଣ କ’ଣ?

-    ସଂକ୍ରମିତ ବ୍ୟକ୍ତିଙ୍କୁ ଥଣ୍ଡା ହୋଇଥାଏ
-    ଜ୍ୱର ସହ କାଶ ମଧ୍ୟ ଲାଗି ରହିଥାଏ
-    ସଂକ୍ରମିତଙ୍କ ଗଳା ଦରଜ ମଧ୍ୟ ହୋଇଥାଏ
-    ଇନଫ୍ଲୁଏଞ୍ଜା ଟିକା ନେଇଥିଲେ ସଂକ୍ରମିତ ହେବା ଆଶଙ୍କା କମ୍

ମଣିଷକୁ ବାର୍ଡ ଫ୍ଲୁ ହେଲେ କ’ଣ କରିବେ?

-    କାଶିବା, ଛିଙ୍କିବା ଦ୍ବାରା ସଂକ୍ରମିତ ହୋଇପାରେ
-    ସଂକ୍ରମିତ ବ୍ୟକ୍ତି ଦୁଇ ସପ୍ତାହ ପର୍ୟ୍ୟନ୍ତ ସଂଘରୋଧରେ ରହିବା ଆବଶ୍ୟକ
-    ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ
-    ପରିବାର ସଦସ୍ୟ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଇନିଅନ୍ତୁ 
-    ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ସଂକ୍ରମିତ ହେବା ଆଶଙ୍କା ଅଧିକ
-    ମହିଳା, ଛୋଟ ପିଲା ସଂକ୍ରମିତ ଅଞ୍ଚଳକୁ ନଯିବା ଆବଶ୍ୟକ

ସେପଟେ ବାର୍ଡ ଫ୍ଲୁ ରୋକିବାକୁ ଚାଲିଛି ଜୋରଦାର ଉଦ୍ୟମ। ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସଂକ୍ରମିତ ଅଞ୍ଚଳ ଗୁଡ଼ିକରେ କୁକୁଡ଼ା ମରା ଅଭିଯାନକୁ ବ୍ୟାପକ କରାଯାଇଛି। ୪ ଦିନରେ ମଧ୍ୟରେ ୨୮ ହଜାରରୁ ଅଧିକ ବ୍ରଏଲର ମରାଯାଇଥିବା ବେଳେ ଆଜି ମଧ୍ୟ କୁକୁଡ଼ା ମରାଯିବ ବୋଲି ସୂଚନା ଦିଆଯାଇଛି।

ସେପଟେ ସଂକ୍ରମଣ ଚିହ୍ନଟ ହୋଇଥିବା ଅଞ୍ଚଳରେ ଜ୍ୱର ବ୍ୟାପୁଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ଲୋକଙ୍କ ସ୍ୱାସ୍ଥ୍ୟଯାଞ୍ଚ ସହ ରିପୋର୍ଟ ଦେବାକୁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି। ପିପିଲିର ୪୦ଟି ଗାଁରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟଯାଞ୍ଚ କରିବେ ୨୮ ଜଣ ଆଶାକର୍ମୀ। ଠଣ୍ଡା କିମ୍ବା ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରି ରିପୋର୍ଟ ଦେବେ। ଏଥିପାଇଁ ଏକ କଂଟ୍ରୋଲ ରୁମ ଖୋଲାଯାଇଛି।