କନକ ବ୍ୟୁରୋ: ବାର୍ଡ ଫ୍ଲୁର ସ୍ଥିତି ତଦାରଖ ପାଇଁ ଆଜି ଓଡ଼ିଶା ଆସିବେ କେନ୍ଦ୍ରୀୟ ଦଳ । ଏହି ଟିମ୍ ସଂକ୍ରମଣ ସ୍ଥଳ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିବେ । ରାଜ୍ୟରେ ବାର୍ଡ ଫ୍ଲୁର ବର୍ତ୍ତମାନ ସ୍ଥିତି ଏବଂ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂପର୍କରେ ରବିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ BMC ଅଧିକାରୀଙ୍କ ସମେତ ପୁରୀ, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ । ବର୍ତମାନ କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଏବଂ ଡେଲାଙ୍ଗ ବ୍ଲକର ଚାରିଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି ।  ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ା ଗୁଡିକୁ ମରାଯାଇ ସାରିଥିବା ବେଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି । ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଆଜି କେନ୍ଦ୍ରୀୟ ଟିମ୍ ଆସି ସଂକ୍ରମଣ ସ୍ଥଳ ଯାଞ୍ଚ କରିବା ସହ ଏହାର ନିରାକରଣ ଦିଗରେ ଆଲୋଚନା କରିବେ ।