କନକ ବ୍ୟୁରୋ : ଖାଦ୍ୟ, ମଣିଷର ମୌଳିକ ଅଧିକାର। ସ୍ୱାଦିଷ୍ଠ ସହ ପୁଷ୍ଠିକର ଖାଦ୍ୟ ଖାଇବା ଦ୍ୱାରା ମଣିଷ ସୁସ୍ଥ ସବଳ ହୋଇଥାଏ । ବରଗଡ଼କୁ ଓଡିଶାର ଭାତହାଣ୍ଡି କୁହାଯାଏ । ହେଲେ ଚାଷରେ ଅତ୍ୟଧିକ ରସାୟନିକ ସାର ପ୍ରୟୋଗ କାରଣରୁ ଭାତହାଣ୍ଡି ଏବେ ବିଷହାଣ୍ଡିରେ ପରିଣତ ହୋଇଛି । ସେଥିରୁ ମୁକୁଳିବା ପାଇଁ ଚାଷୀ ଚିନ୍ତା କରୁଛନ୍ତି । ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଆଗେଇ ଆସିଛନ୍ତି ।
ଓଡ଼ିଶାର ଭାତହାଣ୍ଡିରେ ଖାଦ୍ୟକୁ ନେଇ ସଚେତନାତା କାର୍ଯ୍ୟକ୍ରମ । ରସାୟନିକ ସାର ବଦଳରେ ଜୈବିକ ପଦ୍ଧତିରେ ଚାଷ ପାଇଁ ଆଲୋଚନା ଚକ୍ର । ଅଧିକ ଅମଳ ଆଶାରେ ଚାଷରେ ମାତ୍ରାଧିକ ସାର ଓ କୀଟନାଶକ ପ୍ରୟୋଗ କରାଯାଉଛି । ଫଳରେ ଲୋକେ ବିଶାକ୍ତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ବିଷଯୁକ୍ତ ଖାଦ୍ୟରୁ ବର୍ତ୍ତିବା ପାଇଁ ସଚେତନତା ଆବଶ୍ୟକ । ବିଶ୍ୱ ଖାଦ୍ୟ ଦିବସ ଅବସରରେ ପଦ୍ମପୁରରେ ଖାଦ୍ୟ ମେଳା ପ୍ରଦର୍ଶିତ ହୋଇଛି । ଭଳିକି ଭଳି ଦେଶୀ ଖାଦ୍ୟ ସହ ଦେଶୀ ବିହନ ଦେଖିବାକୁ ମିଳିଛି ।
ପୂର୍ବରୁ ଚାଷରେ ଗୋବର ଖତ ବ୍ୟବହାର ହେଉଥିଲା । ଧାନ, ମୁଗ, ବିରି, ଗହମ, ମାଣ୍ଡିଆ, ବାଜରା, ଗୁରଜି ଭଳି ଶସ୍ୟ ଚାଷ କରୁଥିଲେ । ଏବେ ସେସବୁ ଶସ୍ୟ ଲୋପ ପାଇବାକୁ ବସିଛି । ତେଣୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପୁରୁଣା ଚାଷକୁ ଫେରିବାକୁ ସଂକଳ୍ପ ନିଆଯାଇଛି । ଉନ୍ନତ ମାନର ଚାଷ କରିଥିବା ଚାଷୀଙ୍କୁ ଫୁଡ ହିରୋ ଭବାରେ ସମ୍ମାନିତ କରାଯାଇଛି ।
କୀଟନାଶକ ପ୍ରୟୋଗ ଯୋଗୁଁ ଅମଳ ଫସଲ ବିଷ ପାଲଟିଯାଉଛି । ସେଗୁଡ଼ିକ ଖାଇବାରୁ ବିଭିନ୍ନ ପ୍ରକାର ରୋଗବ୍ୟାଧି ହେଉଛି । ବରଗଡ଼ ଜିଲ୍ଲାରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିରୁ ବର୍ତ୍ତିବା ପାଇଁ ଏବେଠାରୁ ସଜାଗ ହେବାକୁ ପଡ଼ିବ । ଜୈବିକ ପଦ୍ଧତିରେ ଚାଷକୁ ଫେରିବାକୁ ପଡ଼ିବ ।