କନକ ବ୍ୟୁରୋ: ଶିକ୍ଷିତ ମହିଳାଙ୍କ ନିଆରା ପ୍ରୟାସ । ରାଜନୀତିରୁ ବିରତି  ମିଳିବା ପରେ ଠେକୁଆ ଚାଷ କରି ଚର୍ଚ୍ଚାରେ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଦର୍ପଣୀ ଗାଁର ମହିଳା ବିନୋଦିନୀ ସାହୁ । ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଘରେ ଆରମ୍ଭ କରିଛନ୍ତି ୬ଟି ପ୍ରଜାତିର ଠେକୁଆ ଚାଷ । ବାର୍ଷିକ ୪ରୁ ୫ଲକ୍ଷ ଟଙ୍କା ରୋଜଗାର କରିବା ପାଇଁ ରଖିଛନ୍ତି ଲକ୍ଷ୍ୟ ।

Advertisment

ଯାଜପୁର ବଡଚଣା ବ୍ଲକ ଦର୍ପଣ ଗାଁର ବିନୋଦିନୀ ସାହୁ । ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିବା ପରେ ସମାଜସେବା ପାଇଁ ମନ ବଳାଇ ରାଜନୀତିରେ ପାଦ ଥାପିଥିଲେ । ୨୦୧୭ରୁ ୨୦୨୨ ଯାଏଁ ଜିଲ୍ଳା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିଛନ୍ତି ବିନୋଦିନୀ । କାର୍ୟ୍ୟକାଳ ସରିଯିବା ପରେ ନିଜେ କିପରି ଆତ୍ମନିର୍ଭରଶୀଳ ହେବେ ସେନେଇ ଚିନ୍ତାରେ ପଡିଥିଲେ । ତାଙ୍କ ସ୍ବାମୀଙ୍କର ଜଣେ ବନ୍ଧୁଙ୍କଠାରୁ ପ୍ରେରଣା ପାଇ ସେ ଠେକୁଆ ଚାଷ କରୁଛନ୍ତି । ଏହି ଚାଷ ସମ୍ପର୍କରେ ସବିଶେଷ ଜ୍ଞାନ ଆହରଣ କରିବା ପରେ ଗତ ତିନିମାସ ତଳୁ ନିଜ ଘରେ ଆରମ୍ଭ କରିଛନ୍ତି ଠେକୁଆ ଚାଷ । ପ୍ରାୟ ୫ ଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ମାସକୁ ୨୦ରୁ ୩୦ ହଜାର ଟଙ୍କା ରୋଜଗାର କରିବେ ବୋଲି ଅଶା ରଖିଛନ୍ତି ।

ପ୍ରାରମ୍ଭିକ ପାର୍ୟ୍ୟାୟରେ ବିନୋଦିନୀ ନିଉଜଲାଣ୍ଡ ହ୍ୱାଇଟ, ସୋଭିଏତ୍ ଚିନଚିଲା, ଡଚ୍, ଗ୍ରେଜେଂଟ, ବ୍ଲାକ ଜେଂଟ, ହ୍ୱାଇଟ ଜେଂଟ ପ୍ରଭୃତି ୬ଟି ପ୍ରଜାତିର ୧୧୦ଟି ଠେକୁଆ ରଖି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । ହରିଆଣାର ଏକ କମ୍ପାନୀରୁ ବ୍ରୀଡ ଗୁଡିକ ଆଣିବା ସହ ସେମାନଙ୍କ ଠାରୁ ପାଂଚ ଦିନର ପ୍ରଶିକ୍ଷଣ ନେଇଛନ୍ତି । ବିନୋଦିନୀଙ୍କ ସୂଚନା ଅନୁଯାୟୀ ପ୍ରତିମାସରେ ଗୋଟିଏ ଠେକୁଆ ୨ରୁ ୧୨ଟି ଛୁଆ ଜନ୍ମ ଦେବ । ଛୁଆ ଗୁଡିକ ତିନିମାସର ହେଲେ ହରିଆଣାର କମ୍ପାନୀ ଠେକୁଅ ଛୁଆ ଗୁଡିକୁ କିଣିନେବ । ବିନୋଦିନୀଙ୍କ ଏହି ବ୍ୟବସାୟରେ ତାଙ୍କ ସ୍ୱାମୀ ଓ ପରିବାର ସଦସ୍ୟମାନେ ସହଯୋଗ କରୁଛନ୍ତି । ଠେକୁଆ ଗୁଡିକର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ଦୈନିକ ତାପମାତ୍ର ଉପରେ ମଧ୍ୟ ନଜର ରକିବାକୁ ପଡିଥାଏ ବୋଲି ବିନୋଦିନୀ କହିଛନ୍ତି ।  ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ବିନୋଦିନୀଙ୍କ ଏହି ଠେକୁଆ ଚାଷ ଅନ୍ୟମହିଳାଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।