କନକ ବ୍ୟୁରୋ : ଫାଇଭ-ଟି ରୂପାନ୍ତରିତ ସ୍କୁଲକୁ ବାଉଁଶ ଢିରା। ଛାତ୍ରଛାତ୍ରୀ ଯେଉଁ ବାଟ ଦେଇ ଶ୍ରେଣୀଗୃହକୁ ଯିବେ ସେହି ବାଟରେ କେଇଖଣ୍ଡ ବାଉଁଶ ଭରସାରେ ବିଦ୍ୟାଳୟ ଛାତ। କେତେବେଳେ ଗଳି ପଡ଼ିବ! ଅଘଟଣ ଘଟିଯିବ ତାହା କହିବା ମୁସ୍କିଲ୍। ବାଉଁଶ ଫାଇଭ-ଟି ରୂପାନ୍ତରିତ କାର୍ୟ୍ୟର ଦୁର୍ନୀତି ପଦାରେ ପକାଇଛି। ଯାଜପୁର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଦୈତ୍ଵ ଚରଣ ହାଇସ୍କୁଲର ଚିତ୍ର
ବିଦ୍ୟାଳୟର ଉନ୍ନତିକରଣ ଦିଗରେ କାମ ନକରି ଠିକାଦାର ଅର୍ଥ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ହଳଦୀଢ଼ିଅ ପଞ୍ଚାୟତବାସୀ। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ କହୁଛି, ଖେଳପଡିଆ ପାଇଁ ୫ ଲକ୍ଷ ଆଉ ପାର୍କ ପାଇଁ ୫ ଲକ୍ଷ ଟଙ୍କା ଉଠିଛି। ହେଲେ ଖୋଦ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି, ଖେଳପଡିଆରେ ମାଟି ମୁଠାଏ ବି ପଡିନାହିଁ କି ପାର୍କ ହୋଇନାହିଁ। ରୂପାନ୍ତରିତ ନାଁରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଏନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି, ଜିଲ୍ଲପାଳ ଅନ୍ୱେଶା ରେଡ୍ଡୀ ତଦନ୍ତ ପ୍ରତିଶ୍ରୁତି ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ କେବେ ତଦନ୍ତ ହେଉଛି ଆଉ ଏହି ଦୁର୍ନୀତିରେ ସଂପୃକ୍ତ ଠାକାଦାର ଓ ସରକାରୀ ବାବୁଙ୍କ ଉପରେ କଣ କାର୍ୟ୍ୟନୁଷ୍ଠାନ ନିଆଯାଉଛି, ତାହା ଆଗାମୀ ଦିନରେ ଜଣାପଡିବ।