କନକ ବ୍ୟୁରୋ: ବାରବାଟୀ ଭିତ୍ତିଭୂମି ବିକାଶ ପାଇଁ ସରକାରୀ ଅର୍ଥକୁ ଚାହିଁ ବସିଛି ଓସିଏ । ବିଭିନ୍ନ କ୍ରିକେଟ ମ୍ୟାଚ୍ ଆୟୋଜନ ବାବଦକୁ ବିସିସିଆଇ ଠାରୁ ମିଳୁଛି କୋଟି କୋଟି ଟଙ୍କା ।  ହେଲେ ଏ ସବୁ ଟଙ୍କା  ଠିକ ସେ ଖର୍ଚ୍ଚ ହୋଇପାରୁଛି ନା ନାହିଁ । ବିସିସିଆଇରୁ ମିଳୁଥିବା ଅର୍ଥ ଅନୁଦାନର ସ୍ୱଚ୍ଛତା ରହୁଛି କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ବାରବାଟୀର ଭିତ୍ତିଭୂମି ପାଇଁ ଅର୍ଥର ଅଭାବ ରହୁନି । ଏକଥା ଆମେ କହୁନୁ । କହୁଛି  ବିସିସିଆଇ । ୨୦୨୩ ଫେବୃୟାରୀରୁ ମାର୍ଚ୍ଚ ୨୦୨୪ ମଧ୍ୟରେ, ଅର୍ଥାତ ଗତ ଏକ ବର୍ଷରେ ବିଭିନ୍ନ ବାବଦକୁ ବିସିସିଆଇ ଠାରୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ୯୦ କୋଟିରୁ ଅଧିକ ଅର୍ଥ ପାଇଛି । ଏ ତଥ୍ୟ ବିସିସିଆଇ ତାର ୱେବସାଇଟ୍‌ରେ ଦର୍ଶାଇଛି । ବିଭିନ୍ନ ସମୟରେ ବିସିସିଆଇଠାରୁ ମିଳିଥିବା ମ୍ୟାଚ୍ ଆୟୋଜନ ଅନୁମତି ପରେ ମୁଖ୍ୟତଃ ପିଚ୍ ନିର୍ମାଣ, ଗ୍ୟାଲେରୀ ରଙ୍ଗ , ଟିମ୍ ଓ ଅଫିସିଆଲ୍‌ଙ୍କ ଫୁଡ଼ିଂ, ଡ୍ରେସିଂ ରୁମ୍ ବାବଦକୁ ଅର୍ଥ ଖର୍ଚ୍ଚ ଦରକାର ହୁଏ ।  ଆଉ ଏହି ଅର୍ଥ ବିସିସିଆଇ ଠାରୁ ଓସିଏ ପାଏ ।  ଓସିଏ ଏକ ଅଟୋନମସ୍ ବଡି। ତେଣୁ ଆୟବ୍ୟୟ ସମ୍ପର୍କରେ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ ହସ୍ତକ୍ଷେପ କରନ୍ତି ନାହିଁ ।

ଟଙ୍କା ଆସୁଛି । ମାତ୍ର ତାହା ଠିକ ଭାବେ ଖର୍ଚ୍ଚ ହେଉଛି କି ନାହିଁ, କେଉଁ ବାବଦରେ କେତେ  ଟଙ୍କା ଖର୍ଚ୍ଚ ହେଉଛି  ସେ ବାବଦରେ ଯାଞ୍ଚ କରିବା ନେଇ  କିଛି ବ୍ୟବସ୍ଥା ହିଁ ନାହିଁ । ପୂର୍ବତନ କାଉନସିଲ୍ ସଦସ୍ୟଙ୍କ କହିବା କଥା ଗୋଟିଏ ପରିବାର ହାତରେ ସବୁ କିଛି କ୍ଷମତା ରହିଛି ତେଣୁ କାଉନସିଲ୍ ବୈଠକରେ ମଧ୍ୟ ଏହି ଆୟ ବ୍ୟୟ ହିସାବ ନେଇ କେହି ମୁହଁ ଖୋଲନ୍ତି ନାହିଁ । ତେଣୁ ଅନୁଦାନ ଅର୍ଥ ଠିକ୍ ଢଙ୍ଗରେ ଖର୍ଚ୍ଚ ହେଉଛି ନା ବାଟମାରଣା ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇବାକୁ କେହି ନାହିଁ ।

କିଛି ଦିନ ପୂର୍ବରୁ ବାରବାଟୀକୁ ଫ୍ଲଡ ଲାଇଟରେ ସଜାଇବା, ଯାହା ଜଣେ ବୁଢୀକୁ ସଜାଇବା ଏଭଳି ଏକ ବିବାଦୀୟ ବୟାନ ଦେଇଥିଲେ ସଂଜୟ ବେହେରା । ନିଜ ଦୋଷ ଖସାଇବା ପାଇଁ ବାରବାଟୀକୁ ମୋହରା କରିଥିଲେ କି ସଂଜୟ , ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏବେ ବଡ ପ୍ରଶ୍ନ ବାରବାଟୀର ନବୀକରଣ କାମ କେଉଁଠି ଏବଂ କଣ ପାଇଁ ଅଟକୁଛି ? ଯଦି ଏତେ ଅର୍ଥ ଆସୁଛି ତାହେଲେ ବାରବାଟୀ ଭିତ୍ତିଭୂମିର ବିକାଶ ହୋଇପାରୁନି କାହିଁକି ?